ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ, ସତର୍କଘଣ୍ଟି ବଜାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଓଏଲ୍ ବ୍ୟୁରୋ: ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। କାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୁରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ ୨୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରହିଛି। କଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେଉଛି ବିଭାଗ। ତେବେ ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ବୃଦ୍ଧି ପାଇଥିବାବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଏବେ କିଛି ଦିନ ଚିକେନ ନଖାଇବା ଭଲ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ସବୁ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବାର୍ଡ ଫ୍ଲୁ ହେଲେ ପ୍ରଥମେ ଜ୍ୱର ହେବା ଭଳି ଲକ୍ଷଣ ଦେଖାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସଂକ୍ରମଣ ରୋକିବାକୁ କୁକୁଡ଼ା ମରା ଅଭିଯାନ ହୋଇଛି। କାଲି ଅପରାହ୍ଣରୁ ଆରମ୍ଭ ହୋଇଥିବା ଅପରେସନରେ ସଂଧ୍ୟା ସୁଦ୍ଧା ୩ ଶହ କୁକୁଡ଼ା ମରା ହୋଇଥିଲା ବେଳେ ଆଜି ୩ଟି ଫାର୍ମରୁ ୪ ହଜାର ୭ ଶହରୁ ଅଧିକ କୁକୁଡ଼ା ମରାଯାଇଛି।
କଲିଂ ଅପରେସନରେ ସାମିଲ ହୋଇଛନ୍ତି ପ୍ରାଣୀ ସଂପଦ ବିଭାଗ ତତ୍ବାବଧାନରେ ଗଠିତ ୧୩ଟି ରାପିଡ ରେସପୋନ୍ସ ଟିମ୍। ଗୋଟିଏ ପଟେ କୁକୁଡ଼ା ମରା ଚାଲିଛି, ଆଉ ଆରପଟେ ମୃତ କୁକୁ଼ଡ଼ା ଗୁଡ଼ିକୁ ଜନବସତି ବାହାରକୁ ନେଇ ପୋତାଯିବା ପାଇଁ ପ୍ରକ୍ରିୟା ବି ଚାଲିଛି। ସଂକ୍ରମଣ ରୋକିବାକୁ ଆବଲପୁର ଗାଁର ୧ କିଲୋମିଟର ବ୍ୟାସାର୍ଧ ଅଞ୍ଚଳରେ ଥିବା ୨୦ ହଜାରରୁ ଅଧିକ କୁକୁଡ଼ା ମରାଯିବାକୁ ଲକ୍ଷ୍ୟ ଥିବାରୁ ଏ ଅଭିଯାନ ଆହୁରି ୫-୬ ଦିନ ଲାଗିବ ବୋଲି କୁହାଯାଉଛି।