ବିରୋଧୀଙ୍କ ଗଡ଼ ଉପରେ ବିଜେପିର ନଜର
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାର ଅଢ଼େଇ ମାସ ପରେ ଭାରତୀୟ ଜନତା ପାର୍ଟି ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ଆରମ୍ଭ କରିଛି ସ୍ବତନ୍ତ୍ର ରଣନୀତି। ରାଜ୍ୟରେ ସଦସ୍ୟତା ଅଭିଯାନ ଆରମ୍ଭ କରିଛି ବିଜେପି। ବର୍ତ୍ତମାନ ଶାସକ ଦଳରେ ଥିବାରୁ ଅଧିକରୁ ଅଧିକ ସଦସ୍ୟ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି ବିଜେପି। ଅନ୍ୟପଟେ ଆଗାମୀ ଦିନରେ ପୌର ଓ ପଞ୍ଚାୟତ ନିର୍ବାଚନ ହେବ।ଏହାକୁ ନଜରରେ ରଖି ବିରୋଧୀ ଦଳ ଗୁଡ଼ିକର ଗଡ଼ ଉପରେ ବିଜେପି ନଜର ରଖିଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ିବାରେ ଲାଗିଛି।
ସାରା ଦେଶରେ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି। ଏହି ଆଧାରରେ ଓଡ଼ିଶାରେ ମଧ୍ୟ ବିଜେପି ସଦସ୍ୟତା ଅଭିଯାନ ଆରମ୍ଭ କରିଛି। ରାଜ୍ୟରେ ସଦସ୍ୟତା ସଂଖ୍ୟା ୧ କୋଟି କରିବାକୁ ଦଳ ଲକ୍ଷ୍ୟ ରଖିଛି। ରାଜ୍ୟ ବିଜେପିରେ ୨୦୧୮-୧୯ରେ ସଦସ୍ୟ ଥିଲେ ୪୧ ଲକ୍ଷ। ଏବେ ସେଥିରେ ଆଉ ୫୯ ଲକ୍ଷ ସଦସ୍ୟଙ୍କୁ ଯୋଡ଼ିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି।
ଆହୁରି ଅଧିକ ସଦସ୍ୟ ଯୋଡ଼ି ସଙ୍ଗଠନକୁ ମଜବୁତ କରିବାକୁ ଚାହୁଁଛି ବିଜେପି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ସଙ୍ଗଠନକୁ ମଜବୁତ କରିବା ପାଇଁ ଅନ୍ୟ ଦଳର ସଦସ୍ୟଙ୍କ ଉପରେ ନଜର ରଖିଛି ବିଜେପି। ପ୍ରତି ବୁଥରୁ ୨ ଶହରୁ ୨୫୦ ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରହିଛି।
ସୂଚନାଥାଉକି, ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଳଙ୍କ ଅଧ୍ୟକ୍ଷତାରେ “ସଂଯୁକ୍ତ ମୋର୍ଚ୍ଚା ସଦସ୍ଯତା ଅଭିଯାନ-୨୦୨୪” କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥର ଓଡ଼ିଶାର ଯୁବକ ଯୁବତୀଙ୍କ ସମେତ ରାଜ୍ୟର ସବୁ ବର୍ଗର ଲୋକଙ୍କ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ବାର୍ତ୍ତା ପହଞ୍ଚାଇ ସେମାନଙ୍କୁ ସିଧାସଳଖ ଭାରତୀୟ ଜନତା ପାର୍ଟିରେ ସାମିଲ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ବାନ କରାଯାଇଛି।