ଜମ୍ମୁ କଶ୍ମୀର ନିର୍ବାଚନ: ଏନସି ୫୧ ଓ କଂଗ୍ରେସ ୩୨ଟି ଆସନରେ ଦେବ ପ୍ରାର୍ଥୀ
ଓଏଲ୍ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରରେ ହେବାକୁ ଯାଉଛି ମତଦାନ। ପାଖାପାଖି ୧୦ ବର୍ଷ ପରେ ଜମ୍ମୁ କଶ୍ମୀରରେ ନିର୍ବାଚନ ପାଣିପାଗ ଦେଖିବାକୁ ମିଳିଛି।ନିର୍ବାଚନ ବୈତରଣୀ ପାର କରିବା ପାଇଁ ସବୁଦଳ ଅଙ୍କକଷା ଆରମ୍ଭ କରିଛନ୍ତି। ଏହାରି ଭିତରେ ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ୧୫ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ଅନ୍ୟପଟେ ଚଳିତ ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବାକୁ ଘୋଷଣା କରିଥିବା କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ମଧ୍ୟରେ ଆଜି ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି।
ଦୁଇ ଦଳ ମେଣ୍ଟ ଘୋଷଣା କରିବା ପରେ ଆଜି କେଉଁ ଦଳ କେତୋଟି ଆସନରେ ପ୍ରାର୍ଥୀ ଦେବ ତାର ଚୂୂଡ଼ାନ୍ତ ହୋଇଛି। ଜମ୍ମୁ କଶ୍ମୀରର ୯୦ଟି ବିଧାନସଭା ଆସନରୁ ଉଭୟ ଦଳ ମିଳିତ ଭାବେ ୮୩ଟି ଆସନରେ ପ୍ରାର୍ଥୀ ଦେବେ। ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ ୫୨ଟି ଆସନରେ ଓ କଂଗ୍ରେସ ୩୨ଟି ଆସନରେ ନିର୍ବାଚନ ଲଢ଼ିବ। ସେହିପରି ବାକି ୭ଟି ଆସନରୁ ଦୁଇ ଦଳ ୫ଟି ସ୍ଥାନରେ ଅତ୍ୟନ୍ତ ଶୃଙ୍ଖଳିତ ଓ ବନ୍ଧୁତାପୂର୍ଣ୍ଣ ଭାବେ ପରସ୍ପର ସହ ଲଢ଼ିବେ। କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ମେଣ୍ଟରେ ଥିବା ସିପିଆଇଏମ ଓ ପାନ୍ଥର୍ସ ପାର୍ଟି ପାଇଁ ଗୋଟିଏ ଲେଖାଏ ଆସନ ଛାଡ଼ିଛନ୍ତି।
ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୋଟ ୯୦ଟି ଆସନରେ ଭୋଟିଂ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ୨୫ରେ ଦ୍ୱିତୀୟ ଓ ଅକ୍ଟୋବାର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ଅଗଷ୍ଟ ୨୭ ରହିଛି। ଅକ୍ଟୋବର ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।