ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ: ୧୯୭୮ ମସିହା ତାଲିକା କଥା କାହିଁକି କହିଲେ ଆଇନ୍ ମନ୍ତ୍ରୀ ?
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା। ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍ଆଇକୁ ଚିଠି ଲେଖା ଯାଇଛି। ମରାମତି କାର୍ଯ୍ୟ ଶେଷ ହେଲାପରେ ରତ୍ନଭଣ୍ଡାରରେ ଥିବା ସୁନା ଗହଣାର ଗଣତି ହେବ। ୧୯୭୮ ମସିହାର ତାଲିକାର ତଥ୍ୟ ସହିତ ମେଳ କରାଯିବ। ଆଶା କରୁଛି ୧୯୭୮ରେ ଯାହା ଥିଲା ଏଥର ଗଣତି ମଧ୍ୟରେ ତାହା ଥିବ ବୋଲି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ସୂଚନାଥାଉକି, ଅଗଷ୍ଟ ୨୩ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା, ସିନ୍ଦୁକଗୁଡ଼ିକୁ ସ୍ଥାନାନ୍ତରଣ କରାଯାଇଥିଲା। ଏହାକୁ ନେଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରିବିହାର ମ୍ୟୁଜିୟମ୍ ନିକଟ ଗୃହରେ ସଂରକ୍ଷିତ ରଖାଯାଇଛି। ଆଲମିରା, ସିନ୍ଦୁକଗୁଡ଼ିକୁ ସ୍ଥାନାନ୍ତର କରିବା ପରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯାଇ ମରାମତି କାର୍ଯ୍ୟ କରାଯିବ।
ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍ଓପି ଅନୁସାରେ ଖାଲି କରାଯାଇଥିବା ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ହୋଇଥିଲା। ସେହିପରି ଅଗଷ୍ଟ ୨୪ ତାରିଖରେ ଏଏସ୍ଆଇ ଦ୍ବାରା ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ କରାଯିବାକୁ ଏଏସ୍ଆଇକୁ ପତ୍ର ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।