Odisha Link
Bridging the Missing Links in Odisha

ରତ୍ନଭଣ୍ଡାରରେ ସୁଡ଼ଙ୍ଗ ପ୍ରସଙ୍ଗ: ସର୍ଭେ ହେବା ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନ୍‌ ମନ୍ତ୍ରୀ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍‌ଆଇକୁ ଚିଠି ଲେଖା ଯାଇଛି। ମରାମତି କାର୍ଯ୍ୟ ଶେଷ ହେଲାପରେ ରତ୍ନଭଣ୍ଡାରରେ ଥିବା ସୁନା ଗହଣାର ଗଣତି ହେବ। ୧୯୭୮ ମସିହାର ତାଲିକାର ତଥ୍ୟ ସହିତ ମେଳ କରାଯିବ। ଆଶା କରୁଛି ୧୯୭୮ରେ ଯାହା ଥିଲା ଏଥର ଗଣତି ମଧ୍ୟରେ ତାହା ଥିବ ବୋଲି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ଏହା ସହ ସୁଡ଼ଙ୍ଗ ନେଇ ସର୍ଭେ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ସର୍ଭେ ହେବ। ରତ୍ନଭଣ୍ଡାର ମାଟିତଳେ କିମ୍ବା କାନ୍ଥ ଭିତରେ କିଛି ଅଛି କି ନାହିଁ ସର୍ଭେ ହେବ। ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବ। ମରାମତି ପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଥାଉକି, ଅଗଷ୍ଟ ୨୩ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା, ସିନ୍ଦୁକଗୁଡ଼ିକୁ ସ୍ଥାନାନ୍ତରଣ କରାଯାଇଥିଲା। ଏହାକୁ ନେଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରିବିହାର ମ୍ୟୁଜିୟମ୍ ନିକଟ ଗୃହରେ ସଂରକ୍ଷିତ ରଖାଯାଇଛି। ଆଲମିରା, ସିନ୍ଦୁକଗୁଡ଼ିକୁ ସ୍ଥାନାନ୍ତର କରିବା ପରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯାଇ ମରାମତି କାର୍ଯ୍ୟ କରାଯିବ।

ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍‌ଓପି ଅନୁସାରେ ଖାଲି କରାଯାଇଥିବା ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ହୋଇଥିଲା। ସେହିପରି ଅଗଷ୍ଟ ୨୪ ତାରିଖରେ ଏଏସ୍ଆଇ ଦ୍ବାରା ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ କରାଯିବାକୁ ଏଏସ୍ଆଇକୁ ପତ୍ର ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Leave A Reply

Your email address will not be published.