ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ
ଓଏଲ୍ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ସବରସାହି ଛକ ନିକଟରେ ମୁକୁନ୍ଦପ୍ରସାଦର ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ଖୋର୍ଦ୍ଧା ପୁଲିସ। ବିଶ୍ବଜିତ ମହାରଣା, ମୁକେଶ ସେଠୀ, ଆକାଶ ପଟ୍ଟନାୟକକୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ଗତ ୨୬ରେ ମହମ୍ମଦ ସାଜିଦଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ। ହତ୍ୟାକାଣ୍ଡ ପରେ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ରରେ ପୋଡ଼ାସାହି ଉପରେ ସାମୂହିକ ଆକ୍ରମଣ ହୋଇଥିଲା। କେଇ ମିନିଟ୍ ଭିତରେ ପୋଡ଼ାସାହିର ପ୍ରାୟ ୩୦ଟି କାର୍, ବାଇକ୍, ଟ୍ରକ୍ ଭାଙ୍ଗି ଦିଆଯାଇଥିଲା। ଖୋର୍ଦ୍ଧା ପୌରପାଳିକାର ୨୧ ନମ୍ବର ୱାର୍ଡ ମୁକୁନ୍ଦପ୍ରସାଦ ଏବଂ ୨ ନମ୍ବର ୱାର୍ଡ ପୋଡ଼ାସାହିରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଲାଗିରହିଥିଲା।
ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହଦୂର ଖୁରାନିଆ, ଏଡିଜି(ଆଇନ ଶୃଙ୍ଖଳା) ଆର୍ କେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ସଞ୍ଜୟ କୌଶଲ, ଖୋର୍ଦ୍ଧା ଏସ୍ପି ଅବିନାଶ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ଆଇନଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଉତ୍ତେଜନାକୁ ଆଖି ଆଗରେ ରଖି ମୁକୁନ୍ଦପ୍ରସାଦ, ପୋଡ଼ାସାହିକୁ ପୁଲିସ ଛାଉଣି କରି ଦିଆଯାଇଥିଲା।
ଥାନାରେ ମୁକୁନ୍ଦପ୍ରସାଦର ମହମ୍ମଦ ମୋହତରମ୍ଙ୍କ ଏତଲା ମୁତାବକ, ତାଙ୍କ ସାନଭାଇ ମହମ୍ମଦ ସାଜିଦ୍(୩୦)ଙ୍କୁ ଗତ ୨୬ ତାରିଖରେ ମଧ୍ୟାହ୍ନ ୧୨ଟା ବେଳକୁ ନିଜର ଦୁଇଚକିଆ ଗାଡ଼ିରେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସବରସାହିକୁ ବାହାରିଥିଲେ। ଘରୁ ବାହାରି ଯିବାର ୨୦ମିନିଟ୍ ପରେ ସାଜିଦ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି ବୋଲି ତାଙ୍କ ନିକଟକୁ ଖବର ଆସିଥିଲା।
ପୋଡ଼ାସାହି ଏବଂ ଦଧିବାମନସାହିର କିଛି ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ଏକ ଗ୍ୟାରେଜ୍ ଭିତରେ ପଶି ତାଙ୍କ ଭାଇକୁ ଖଣ୍ଡାରେ ହାଣିଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନା ପାଇ ପରିବାର ଲୋକେ ତୁରନ୍ତ ସାଜିଦ୍ଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏ ହତ୍ୟାକାଣ୍ଡ ଘଟିଛି ବୋଲି ପରିବାର ଲୋକେ ଏତଲାରେ ଦର୍ଶାଇଛନ୍ତି।