Odisha Link
Bridging the Missing Links in Odisha

ଶୂନ୍ୟକାଳରେ ଆମ ଓଡ଼ିଶା ନବୀନ ଓଡ଼ିଶା ଝଡ଼, ଶାସକ-ବିରୋଧୀ ମୁହାଁମୁହିଁ

ଓଏଲ୍‌ ବ୍ୟୁରୋ: ଦୁଇ ଦିନ ବିରତି ପରେ ଆରମ୍ଭ ହେଲା ବିଧାନସଭା ଅଧିବେଶନ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହୋଇଥିବାବେଳେ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ନାରାବାଜି କରିଛନ୍ତି। ଜାତି ଭିତ୍ତିକ ଗଣନା ଦାବି କଲେ ବିରୋଧୀ। କଂଗ୍ରେସ ଓ ବିଜେଡି ବିଧାୟକଙ୍କ ନାରାବାଜି ଦେଖିବାକୁ ମିଳିଛି। ବିଧାନସଭାରେ ବିରୋଧୀଙ୍କ ହଂଗାମା କାରଣରୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଥିଲା । ପରେ ଗୃହ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିପାଇଁ ଦିନ ୧୨ଟା ୩୦ ମିନିଟ ଯାଏ ଗୃହ ମୁଲତବୀ ରଖାଯାଇଥିଲା।

ଆଜି ଶୂନ୍ୟକାଳରେ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେପି ଓ ବିରୋଧୀ ବିଜେଡି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅଧୀନରେ କାର୍ଯ୍ୟନ୍ଵୟନ ହେଉଥିବା ପ୍ରକଳ୍ପ ନେଇ ଉଭୟ ଦଳର ବିଧାୟକ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିଛନ୍ତି।ଆଜି ଶୂନ୍ୟକାଳରେ ଉପରୋକ୍ତ ପ୍ରସଙ୍ଗ ଉଠାଇ ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଲେ ଯେ ରାଜ୍ୟର ୩୧୪ ବ୍ଲକରେ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ଜାରି ରହିଥିବା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରି ଦିଆଯାଇଛି। ଯେଉଁ ପ୍ରକଳ୍ପର ନିର୍ମାଣ ସରିଛି, ତାହାର ବିଲ ଦିଆଯାଉନାହିଁ। ବିଲ ନଦେବାକୁ ସରକାରୀ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି।

ସେହିପରି ଅନେକ ସ୍ଥାନରେ ଟଙ୍କା ମଧ୍ୟ ମଗାଯାଉଛି। ଯଦି ସରକାରଙ୍କର ଯୋଜନା ଜାରି ରଖିବାର ଇଚ୍ଛା ନାହିଁ, ତାହେଲେ ଏହାକୁ ବନ୍ଦ କରିଦିଅନ୍ତୁ। ଯଦି ଯୋଜନା ଚଳାଇବାର ଅଛି, ତାହେଲେ ସଠିକ୍ ଢଙ୍ଗରେ ଚଳାନ୍ତୁ। ନିର୍ମାଣଧୀନ ଅବସ୍ଥାରେ ଥିବା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରଖାଯାଉ। ବିଜେଡି ଏନେଇ ଦୁଇଥର ମୁଲତବୀ ଆଲୋଚନା ପାଇଁ ନୋଟିସ ଦେଇଥିଲେ ହେଁ ବର୍ତ୍ତମାନ ଏହି ବିଷୟର ଆଲୋଚନା ପାଇଁ କୌଣସି ଗୁରୁତ୍ଵ ନାହିଁ ବୋଲି କହି ନୋଟିସକୁ ଅଗ୍ରାହ୍ୟ କରି ଦିଆଯାଉଛି। ଏହା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦେବ କହିଥିଲେ। ଏହାର ଜବାବରେ ଶାସକ ଦଳ ବିଧାୟକ ମାନସ ଦତ୍ତ କହିଥିଲେ ଯେ ଭାତହାଣ୍ଡିରୁ ଗୋଟିଏ ଭାତ ଚିପିଲେ ପୂରା ହାଣ୍ଡିର ସ୍ଥିତାବସ୍ଥା ଜଣାପଡେ।

ଗତ ସରକାର ସମୟରେ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ଅଧୀନରେ ଅନେକ ଜାଲିଆତି ପ୍ରକଳ୍ପ ଦିଆଯାଇଛି। ଏପରିକି ବ୍ୟକ୍ତିଗତ ଘରକୁ ମଧ୍ୟ ଯୋଜନା ଅଧୀନରେ ରାସ୍ତା ଦିଆଯାଉଛି। ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକରେ ଏକ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ନଥିବା ବେଳେ, ଏପରି ପ୍ରକଳ୍ପର ବିଲ ପାଇଁ ଚାପ ପକାଯାଉଛି। ୫-ଟି ନାଁରେ ଯେଉଁ ପ୍ରକଳ୍ପ ଅବାଞ୍ଛନୀୟ ଭାବେ ଦିଆଯାଉଛି, ସେନେଇ ଆଜି ଶାସକ ସଭ୍ୟ ସ୍ୱର ଉତ୍ତୋଳନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ।

Leave A Reply

Your email address will not be published.