Odisha Link
Bridging the Missing Links in Odisha

ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ, ବିଧାନସଭାରେ ଉପସ୍ଥାପିତ ହେଉଛି ବିଭିନ୍ନ ସମସ୍ୟା

ଓଏଲ୍‌ ବ୍ୟୁରୋ: ଦୁଇ ଦିନ ବିରତି ପରେ ଆରମ୍ଭ ହେଲା ବିଧାନସଭା ଅଧିବେଶନ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହୋଇଥିବାବେଳେ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି। ଏସସି, ଏସଟି ଓ ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ଏବଂ ଜାତିଭିତ୍ତିକ ଜନଗଣନା ଦାବିରେ ଆଜି ମଧ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ। ବିରୋଧୀ ବିଜେଡି ଓ କଂଗ୍ରେସର ପ୍ରବଳ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଚାଲି ପାରିନଥିଲା ଶୂନ୍ୟକାଳରେ ମଧ୍ୟ ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି। ବିଧାୟକମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସବମିଶନ ମାଧ୍ୟମରେ ଗୃହରେ ଉପସ୍ଥାପିତ କରିଛନ୍ତି।

ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି କଂଗ୍ରେସର ସଦସ୍ୟମାନେ ଏକ ସ୍ଵରରେ ଗୃହର ମଧ୍ୟ ଭାଗକୁ ଆସି ପ୍ରତିବାଦ ଆରମ୍ଭ କରି ଦେଇଥିଲେ। ଏସସି, ଏସଟି ଓ ଓବିସି ସଂରକ୍ଷଣ, ଜାତିଭିତ୍ତିକ ଜନଗଣନା ଦାବିରେ ପ୍ରବଳ ହୋହାଲ୍ଲା କରିଥିଲେ। ହୋହାଲ୍ଲା ମଧ୍ୟରେ ବାଚସ୍ପତି ଗୃହ ଚଳାଇବା ପାଇଁ ପ୍ରୟାସ କରିଥିଲେ। ତେବେ ବିରୋଧୀଙ୍କ ପ୍ରବଳ ନାରାବାଜି ଯୋଗୁଁ ପ୍ରଶ୍ନକାଳ ସ୍ଵାଭାବିକ ଭାବେ ଚାଲିପାରି ନଥିଲା। କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିଜେଡି ବିଧାୟକ ଅଧିରାଜ ପାଣିଗ୍ରାହୀ ପୋଡ଼ିୟମକୁ ଚଢ଼ିବାକୁ ଉଦ୍ୟମ କରିଥିବା ବେଳେ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ରିପୋର୍ଟର ଟେବୁଲ୍ ଉପରେ ଚଢ଼ି ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଥିଲା।

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହଙ୍କୁ ୧୦ଟା ୪୫ ରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ ଜାରି ରଖିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୧ଟା ୪୦ ରୁ ୧୧ଟା ୫୦ ଓ ପୁନର୍ବାର ୧୧ଟା ୫୦ ରୁ ୧୨ଟା ୦୫ ମିନିଟ ପାଇଁ ମୁଲତବୀ ରଖିଥିଲେ। ଶେଷରେ ଗୃହକୁ ସ୍ଵାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି।

Leave A Reply

Your email address will not be published.