‘ସୁଭଦ୍ରା’ ପ୍ରତିଶ୍ରୁତି ପୂରଣ ପରେ ଏବେ ନିଯୁକ୍ତି ପାଳି

ଓଏଲ୍ ବ୍ୟୁରୋ: ୨୪ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶା ଶାସନ ଗାଦିରେ ବସିଛି। ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରକୁ ଆସିବା ପରେ ଜନତାଙ୍କୁ ଦେଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ପାଳନ କରିବାରେ ଚାଲିଛି। ‘ସୁଭଦ୍ରା ଯୋଜନା’ ପ୍ରତିଶ୍ରୁତି ପରେ ଏବେ ମୋହନ ସରକାରଙ୍କ ଫୋକସ୍ରେ ନିଯୁକ୍ତି।
ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଏବେ ପୁରା ଆକ୍ସନ ମୁଡ୍କୁ ଆସିଛନ୍ତି। ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ୩ଲକ୍ଷ ୯୯ହଜାର ୬୬୬ଟି ମୂଳ ପଦବୀ ମଧ୍ୟରୁ ଖାଲିପଡ଼ିଥିବା ୧ଲକ୍ଷ ୩୨ହଜାର ୪୫୯ଟି ପଦବୀ ପୂରଣ ପାଇଁ ସରକାର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି।
ଡିସେମ୍ବର ସୁଦ୍ଧା ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବାକୁ ରାଜ୍ୟ ସରକାରଙ୍କ ନିଯୁକ୍ତି ଏଜେନ୍ସୀଗୁଡ଼ିକୁ କୁହାଯାଇଛି। ଏହାସହିତ ଆସନ୍ତା ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ନିଯୁକ୍ତି ମେଳା ମାଧ୍ୟମରେ ୧୮୭୮୮ଜଣ କନିଷ୍ଠ ଶିକ୍ଷକ(ସ୍କିମେଟିକ)ଙ୍କୁ ନିଯୁକ୍ତି ପତ୍ର ବଂଟନ କରିବେ ବୋଲି ଜଣାପଡ଼ିଛି। କେବଳ ସେପ୍ଟେମ୍ବର ମାସରେ ୭ଟି ନିଯୁକ୍ତି ମେଳାର ଆୟୋଜନ କରାଯାଇ ମୋଟ ୨୧,୯୧୮ଟି ବିଭିନ୍ନ ବର୍ଗର ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଂଟନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।