କ୍ୟାବିନେଟର ବଡ଼ ନିଷ୍ପତ୍ତି: ଦେଶରେ ପ୍ରତିଷ୍ଠା ହେବ ୧୨ଟି ଶିଳ୍ପ ସ୍ମାର୍ଟ ସହର, ନାହିଁ ଓଡ଼ିଶାର ନା
ଓଏଲ୍ ବ୍ୟୁରୋ: କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି। ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନେଇଛନ୍ତି ବଡ଼ ପଦକ୍ଷେପ। କେନ୍ଦ୍ର ସରକାର ଦେଶର ୧୦ ରାଜ୍ୟରେ ପ୍ରତିଷ୍ଠା କରିବେ ୧୨ଟି ଶିଳ୍ପ ସ୍ମାର୍ଟ ସହର। ଏଥିପାଇଁ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ(ଏନଆଇସିଡିପି) ଜରିଆରେ ୨୮,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏପରି ପଦକ୍ଷେପ ଯୋଗୁ ୧୨ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ଓ ୨୦ ଲକ୍ଷ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ତେବେ ଏହି ରାଜ୍ୟ ତାଲିକାରେ ନାହିଁ ଓଡ଼ିଶାର ନାମ।
କେନ୍ଦ୍ର କ୍ୟାବିନେଟ ମଞ୍ଜୁର ଦେଇଥିବା ୧୨ ଶିଳ୍ପ ସ୍ମାର୍ଟ ସିଟି ୧୦ ରାଜ୍ୟରେ ପ୍ରତିଷ୍ଠା ହେବ। ସେହି ସହର ଗୁଡ଼ିକ ହେଲା- ଉତ୍ତରାଖଣ୍ଡର ଖୁରପିଆ, ପଞ୍ଜାବର ପଟିଆଲାର ରାଜପୁରା, ମହାରାଷ୍ଟ୍ରର ଦିଗି, କେରଳର ପାଲକ୍କଡ, ୟୁପିର ଆଗ୍ରା ଓ ପ୍ରୟାଗରାଜ, ରାଜସ୍ଥାନ ଅନ୍ତର୍ଗତ ଯୋଧପୁରର ପାଲି, ବିହାରର ଗୟା, ତେଲଙ୍ଗାନାର ଜହିରାବାଦ୍, ପଶ୍ଚିମବଙ୍ଗର ଜାମସେଦପୁର-ପୁରୁଲିଆ-ଆସନସୋଲ ଏବଂ ଆନ୍ଧ୍ରପ୍ରଦେଶର କୋପାର୍ଥୀ ଓ ଓରଭାକାଲ।
ଆଜି କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି, ଭାରତ ଏବେ ବିଶ୍ୱ ସ୍ତରୀୟ ଗ୍ରୀନଫିଲ୍ଡ ଶିଳ୍ପ ସ୍ମାର୍ଟ ସହର ପ୍ରତିଷ୍ଠା କରିବାକୁ ଯାଉଛି। ସ୍ମାର୍ଟ ସହରରେ ଖେଳକୁଦ ଠାରୁ ଆରମ୍ଭ କରି ଚାଲିବା ଓ କାମ କରିବାର ବ୍ୟବସ୍ଥା ରହିବ। ଶିଳ୍ପାଞ୍ଚଳରେ ଆବାସିକ କୋଠା ରହିବ। ଏହାଦ୍ୱାରା କାମ କରିବାରେ ସହଜ ବୋଲି ସେ କହିଛନ୍ତି। ପାଖାପାଖି ୪୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।