ପଶ୍ଚିମବଙ୍ଗରେ ତୀବ୍ର ପ୍ରତିବାଦ, ଆଜି ୧୨ ଘଣ୍ଟିଆ ‘ବେଙ୍ଗଲ ବନ୍ଦ’
ଓଏଲ୍ ବ୍ୟୁରୋ: ପଶ୍ଚିମବଙ୍ଗରେ ତୀବ୍ର ପ୍ରତିବାଦ ଜାରି ରହିଛି। କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତାତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ନବାନ୍ନ ମାର୍ଚ୍ଚ ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ନିନ୍ଦା କରି ବନ୍ଦ ପାଳନ କରୁଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ପଶ୍ଚିମବଙ୍ଗରେ ବନ୍ଦ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ଏବଂ ପୁଲିସ ବିରୋଧରେ ପ୍ରତିବାଦ ପାଇଁ ବିଜେପି ଏହି ବନ୍ଦ ଡାକରା ଦେଇଛି।
ପଶ୍ଚିମବଙ୍ଗ ବନ୍ଦ ପାଳନ ବେଳେ ଦୋକାନବଜାର ବନ୍ଦ ରଖିବାକୁ ଡାକରା ଦେଇଛି ବିଜେପି। କେବଳ ଆତ୍ୟାବଶ୍ୟକ ସେବା ଜାରି ରହିବ ବୋଲି କୁହାଯାଇଛି। ତେବେ ବନ୍ଦ ପାଳନକୁ ବିରୋଧ କରିବା ସହିତ, କାଲି ଜୀବନଯାତ୍ରା ସ୍ବାଭାବିକ ରହିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ସରକାର। ତେଣୁ ସମସ୍ତ ସ୍କୁଲ, କଲେଜ, ଅଫିସ୍, ବ୍ୟାଙ୍କ, ବସ୍ ଚଳାଚଳ ଆଦି ଖୋଲା ରହିବ। ସମସ୍ତେ ଅଫିସ ଆସିବାକୁ ଅପିଲ୍ କରିଛନ୍ତି ମମତା ବାନାର୍ଜୀ।