ଏସିଆନ୍ସ ଚମ୍ପିଆନ୍ସ ଟ୍ରଫି: ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଶ୍ରୀଜେସ୍ଙ୍କ ସ୍ଥାନ ନେଲେ ଏହି ଖେଳାଳି
ଓଏଲ୍ ବ୍ୟୁରୋ: ଭାରତୀୟ ପୁରୁଷ ହକି ଦଳ ପୁଣିଥରେ ଆକ୍ସନ ମୁଡରେ। ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳ ପୁଣିଥରେ ନଜର ଆସିବେ ମୈଦାନରେ। ଏସିଆନ୍ ଚମ୍ପିଆନ୍ସ ଟ୍ରଫି ୨୦୨୪ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଭାରତୀୟ ହକି ଦଳ। ସେପ୍ଟେମ୍ବର ୮ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ। ଚାଇନାର ହୁଲୁନୁବିର ଖେଳାଯିବ ପ୍ରଥମ ମ୍ୟାଚ୍। ଦଳର ଅଧିନାୟକ ପଦ ହରମନପ୍ରୀତି ସିଂହଙ୍କୁ ମିଳିଥିଲା ବେଳେ ଉପଅଧିନାୟକ ପଦ ବିବେକ ସାଗର ପ୍ରସାଦଙ୍କୁ ଦେଇଛି ହକି ଇଣ୍ଡିଆ। ସେହିପରି ଅଭିଜ୍ଞ ଖେଳାଳି ଲଳିତ ଉପାଧ୍ୟାୟଙ୍କୁ ଦଳରେ ସ୍ଥାନ ମିଳିନାହିଁ।
ଏହି ଟୁର୍ଣ୍ଣାମେଣ୍ଟରେ ଏସିଆର ଟପ୍ ହକି ଦଳଙ୍କୁ ଭେଟିବ ଭାରତ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, କୋରିଆ, ମାଲେସିଆ, ପାକିସ୍ତନା, ଜାପାନ ଓ ଆୟୋଜକ ଚାଇନା ଭାଗ ନେଇଛନ୍ତି। ପ୍ରଥମଥର ପାଇଁ ଶ୍ରୀଜେଶଙ୍କ ବିନା ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ। କ୍ରୀଷ୍ଣା ବାହାଦୂର ପାଠକ ଓ ସୂରଜ କରକେରା ଗୋଲ କିପର ଭାବେ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଦଳରେ ୬ ଜଣ ଡିଫେଣ୍ଡରଙ୍କୁ ଦଳରେ ସ୍ଥାନ ମିଳିଛି। ସେହିପରି ମିଡ ଫିଲ୍ଡର ଓ ଫରଓ୍ବାଡ ଭାବେ ୫-୫ ଜଣ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି।
ଭାରତୀୟ ହକି ଦଳ:
ହରମନପ୍ରୀତ ସିଂହ (ଅଧିନାୟକ), ବିବେକ ସାଗର ପ୍ରସାଦ (ଉପଅଧିନାୟକ), କ୍ରିଷ୍ଣା ବାହାଦୂର ପାଠକ, ସୂରଜ କରକେରା, ଜର୍ମନପ୍ରୀତ ସିଂହ, ଅମିତ ରୋହିଦାସ, ଯୁଗରାଜ ସିଂହ, ସଞ୍ଜୟ, ସୁମିତ, ରାଜ କୁମାର ପାଲ, ନୀଳକାନ୍ତ ଶର୍ମା, ମନପ୍ରୀତି ସିଂହ, ମହମ୍ମଦ ରାହିଲ ମୌସନ, ଅଭିଷେକ, ଶୁଖଜିତ ସିଂହ, ଆରଜିତ ସିଂହ ହୁଣ୍ଡାଲ, ଉତ୍ତମ ସିଂହ, ଗୁରଜୋତ ସିଂହ।