ବଢୁଛି ବାର୍ଡ ଫ୍ଲୁ ଭୟ, କୁକୁଡ଼ା ଚାଷୀଙ୍କୁ ମିଳିବ କ୍ଷତିପୂରଣ
ଓଏଲ୍ ବ୍ୟୁରୋ: ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ମଙ୍ଗଳପୁରରେ ଜଣେ ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି। ଏନେଇ ସ୍ପଷ୍ଟ ହୋଇନଥିବାବେଳେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଦିଆଯାଇଛି। ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ୧ କିଲୋମିଟର ଭିତରେ ଓ ୧ରୁ୧୦ କିଲୋମିଟର ଭିତରେ ଦୁଇ ଥାକିଆ ସର୍ଭେଲାନ୍ସ କରାଯାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ବାର୍ଡ଼ ଫ୍ଲୁ’କୁ ନେଇ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀମାନଙ୍କୁ କ୍ଷତିପୂରଣ ବାବଦରେ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ାକୁ ୭୦ ଟଙ୍କା ଦେବାକୁ ଯୋଜନା କରୁଛି ବିଭାଗ। ଆଗକୁ ବାର୍ଡ଼ ଫ୍ଲୁ ନ ବ୍ୟାପିବା ସହ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦେଶ ଦିଆଯାଇଛି। ଏଣେ ବାର୍ଡ଼ ଫ୍ଲୁ ପଜିଟିଭ ହୋଇଥିବା ଅଂଚଳରେ, କୁକୁଡ଼ା ନେବା ଆଣିବା, ବ୍ୟବହାର ହେଉଥିବା ଗାଡ଼ି ଓ କୁକୁଡ଼ା ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ସୂଚନା ଅନୁସାରେ, ବାର୍ଡ ଫ୍ଲୁ ଆକ୍ରାନ୍ତ କୁକୁଡ଼ା ମାରିବା ସହ ଫାର୍ମ ଗୁଡ଼ିକ ସଫା କରି ସାନିଟାଇଜ କରାଯାଉଛି। ପାଖାପଖି ୩୦ ହଜାର କୁକୁଡ଼ାଙ୍କୁ ମରାସରିଲାଣି। ଯେଉଁଥିପାଇଁ କୁକୁଡ଼ା ଚାଷୀ କ୍ଷତି ପୂରଣ ଦାବିକରିଥିଲେ। ତେବେ ଚିହ୍ନଟ ୫୪ ଗୋଟି ଫାର୍ମରୁ ୫ଟି ଫାର୍ମରେ କୁକୁଡ଼ା ମରା ଯାଇଥିବା ବେଳେ ଆଉ ମାତ୍ର ହାତ ଗଣତି ଫାର୍ମକୁ ଛାଡି ଦେଲେ ଫାର୍ମ ଖାଲି ପଡିଛି। ଖାଲି ପଡିଥିବା ଫାର୍ମ ଗୁଡିକ ସାନିଟାଇଜ କରାଯାଉଛି। ଲୋକଙ୍କୁ ସତର୍କ କରାଇବା ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ବ୍ୟବସ୍ତା କରାଯାଇଛି। ପ୍ରଶାସନ ପକ୍ଷରୁ ସଜାଗ ରହିବା ନିର୍ଦ୍ଦେଶ ଜାରି ହୋଇଥିବାବେଳେ ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ଘର ଘର ବୁଲି ସତର୍କ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ଡାକ୍ତର, ୨ ଫାର୍ମାସିଷ୍ଟ, ସ୍ବାସ୍ଥ୍ୟ କର୍ମୀଙ୍କୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ନିୟୋଜିତ କରାଯାଇଛି।