ବନ୍ୟଜନ୍ତୁ ଅପରାଧ ରୋକିବାକୁ ବଡ଼ ପଦକ୍ଷେପ, ଏଣିକି ଅଭୟାରଣ୍ୟ ଜଗିବେ ସନ୍ଧାନୀ କୁକୁର
![](https://www.odishalink.com/wp-content/uploads/2024/08/dog.jpg)
ଓଏଲ୍ ବ୍ୟୁରୋ: ବନ୍ୟଜନ୍ତୁ ଅପରାଧ ରୋକିବାକୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ଅଭୟାରଣ୍ୟ ଜଗିବେ ସନ୍ଧାନୀ କୁକୁର। ପ୍ରଥମ ପର୍ଯ୍ୟାରେ ଅଭୟାରଣ୍ୟରେ ୧୦ଟି କୁକୁର ଛଡ଼ାଯିବ। ୭ଟି ବନଖଣ୍ଡରେ ଛଡ଼ାଯିବ ୧୦ଟି ସନ୍ଧାନୀ କୁକୁର। ଏଥିପାଇଁ ସର୍ବଭାରତୀୟ ସ୍ତରରେ ଟେଣ୍ଡର ଆହ୍ବାନ କରାଯିବ। ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ସଂସ୍ଥା ଏଥିରେ ସାମିଲ ହୋଇ ସନ୍ଧାନୀ କୁକୁର ଯୋଗାଇବା, ସେମାନଙ୍କୁ ତାଲିମ ଦେବା ଭଳି କାର୍ଯ୍ୟ କରିବେ।
ସଂସ୍ଥାଗୁଡ଼ିକ ଟେଣ୍ଡର୍ ଦାଖଲ କରିବା ପରେ ଏକ କମିଟି ଗଠନ କରାଯାଇ ଚୟନ ପ୍ରକ୍ରିୟା କରାଯିବ। କମିଟିର ସଦସ୍ୟମାନେ ସମ୍ପୃକ୍ତ ସଂସ୍ଥାକୁ ଗସ୍ତ କରିବା ସହ ସେମାନଙ୍କ ଦକ୍ଷତା, ବ୍ରିଡିଂ, ତାଲିମ ସୁବିଧା ଅନୁଧ୍ୟାନ କରିବେ। କ୍ବାଲିଟି କଷ୍ଟ ବେସଡ୍ ସିଷ୍ଟମ(କ୍ୟୁସିବିଏସ୍) ଆଧାରରେ କମିଟିର ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ।
ଯେଉଁ ସଂସ୍ଥା ଏହି ଟେଣ୍ଡର ପ୍ରକ୍ରିୟାରେ ଆବେଦନ କରିବେ ସେମାନଙ୍କର ସର୍ବଭାରତୀୟ ସ୍ତରରେ ୧୦ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ। ସୈନ୍ୟବାହିନୀ, ପୁଲିସ, ଅବକାରୀ, ଜଙ୍ଗଲ ବିଭାଗକୁ ସନ୍ଧାନୀ କୁକୁର ଯୋଗାଣର ଅଭିଜ୍ଞତା ରହିଥିବା ଦରକାର। ସନ୍ଧାନୀ କୁକୁର ବେଲଜିଆନ୍ ମାଲିନୋଇସ୍ ବ୍ରିଡ୍ ଏବଂ ୧୨ରୁ ୧୮ ମାସର ହୋଇଥିବା ଜରୁରୀ। କୁକୁରଗୁଡ଼ିକର ଜନ୍ମ ପ୍ରମାଣପତ୍ର, ମାଇକ୍ରୋଚିପ୍ ନମ୍ବର ଓ ବ୍ରିଡ୍ ନାମ ବାଧ୍ୟତାମୂଳକ ରହିଛି।