Odisha Link
Bridging the Missing Links in Odisha

ଆର୍ଥିକ ସଙ୍କଟରେ ହିମାଚଳ ପ୍ରଦେଶ ସରକାର; ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସଚିବଙ୍କୁ ୨ ମାସ ବିଳମ୍ବରେ ମିଳିବ ଦରମା

ଓଏଲ୍‌ ବ୍ୟୁରୋ: ଆର୍ଥିକ ସଙ୍କଟ ମଧ୍ୟରେ ହିମାଚଳ ପ୍ରଦେଶ ସରକାର ନେଲେ ବଡ଼ ପଦକ୍ଷେପ। ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଏବଂ ମୁଖ୍ୟ ସଂସଦୀୟ ସଚିବଙ୍କ ଦରମା ଏବଂ ଭତ୍ତା ଦୁଇ ମାସ ବିଳମ୍ବରେ ମିଳିବ। ରାଜ୍ୟରେ ଚାଲିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଉଚ୍ଚ ପଦାଧିକାରୀମାନେ ଏପରି ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ପ୍ରସ୍ତାବ ଆଗତ କରିଥିଲେ। ଆଉ ସମସ୍ତ ବିଧାୟକ ଏହାକୁ ସମର୍ଥନ କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଗୃହରେ ପ୍ରସ୍ତାବ ରଖି କହିଥିଲେ, ରାଜ୍ୟରେ ଆର୍ଥିକ ସ୍ଥିତି ଦୁର୍ବଳ ହେବା ପଛରେ ଅନେକ କାରଣ ଅଛି। ଏଥର ରାଜସ୍ୱରେ ନିଅଣ୍ଟିଆ ଅନୁଦାନ ମୁଖ୍ୟତଃ ଭାବେ ଦାୟୀ। ଗତ ବର୍ଷ ୨୦୨୩-୨୪ ବର୍ଷରେ ୮,୦୫୮ କୋଟି ଟଙ୍କା ଅନୁମୋଦିତ ହୋଇ ଥିବାବେଳେ ଚଳିତ ବର୍ଷ ୨୦୨୪-୨୫ ପାଇଁ ୧୮୦୦ କୋଟି ଟଙ୍କା ହ୍ରାସ ଘଟି ୬୨୫୮ କୋଟିରେ ରହିଛି।

ଆଜି ଗୃହରେ ପ୍ରସ୍ତାବ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, “ବର୍ତ୍ତମାନ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନାହିଁ। ତେଣୁ କ୍ୟାବିନେଟ ସଦସ୍ୟ ତଥା ମୁଖ୍ୟ ସଂସଦୀୟ ସଚିବଙ୍କ ଦରମା ଏବଂ ଭତ୍ତା ଦୁଇମାସ ବିଳମ୍ବ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆପଣମାନେ ସ୍ୱେଚ୍ଛାକୃତ ଭାବେ ଏହି ନିଷ୍ପତ୍ତିରେ ସହମତ ହୁଅନ୍ତୁ ବୋଲି ଅନୁରେଧ କରିବି।” ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବରେ ସମସ୍ତ ବିଧାୟକ ସହମତି ପ୍ରକାଶ କରିଥିଲେ।

Leave A Reply

Your email address will not be published.