Odisha Link
Bridging the Missing Links in Odisha

ମମତାଙ୍କ ମନ୍ତବ୍ୟକୁ ନେଇ ଜାତୀୟ ରାଜନୀତିରେ ଝଡ଼, ବର୍ଷିଲେ ଓଡ଼ିଶା ସମେତ ୨ ରାଜ୍ୟର ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପଡ଼ୁଛି ଉଠୁଛି ପଶ୍ଚିମବଙ୍ଗ। ଏପରିକି ସାରା ଦେଶରେ ପଶ୍ଚିମବଙ୍ଗ ଲଜ୍ଜ୍ୟାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଛାତ୍ର ସମାଜଠୁ ଆରମ୍ଭ କରି ପଶ୍ଚିମବଙ୍ଗର ଜନତା ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି। ଏହାପରେ ବୁଧବାର ବିଜେପି ପକ୍ଷରୁ ପଶ୍ଚିମବଙ୍ଗ ବନ୍ଦ ଡାକରା ଦିଆଯାଇଥିଲା। ଯାହାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା। ଅନ୍ୟପଟେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ପରେ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ମଣିପୁର, ଓଡ଼ିଶା ଓ ଆସାମର ମୁଖ୍ୟମନ୍ତ୍ରୀ ମିଳିତ ଭାବେ ମମତାଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହିତ ଜାତୀୟ ରାଜନୀତି ସରଗରମ ହୋଇ ଉଠିଛି।

ମମତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଆସମା ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଦିଦି ଆପଣଙ୍କର ସାହାସ କେମିତି ହେଲା ଆସାମକୁ ଧମକ ଦେବା ପାଇଁ। ରାଜନୀତିରେ ଅସଫଳତା ହାସଲ କରୁଛନ୍ତି ବୋଲି ଭାରତକୁ ଜଳେଇବାକୁ ଚେଷ୍ଟା କରନ୍ତୁ ନାହିଁ। ଆପଣଙ୍କ ମୁହଁରେ ବିଭାଜନକାରୀ ଭାଷା ଶୋଭା ପାଉନାହିଁ।

ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବାପାଇଁ ମମତା ବାନାର୍ଜୀଙ୍କୁ ଅଧିକାର ଦେଲା କିଏ ? ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ ଏବଂ ସଚେତନ। ଆମ ରାଜ୍ୟ ଓଡ଼ିଶା ପ୍ରତି ଆପଣଙ୍କର ଏଭଳି ବିଦ୍ୱେଷ ଭାବ, ନକରାତ୍ମକ ମନ୍ତବ୍ୟ ଏବଂ ସମ୍ବେଦନହୀନ ମନୋଭାବକୁ ଆମ ଓଡ଼ିଶାବାସୀ କେବେବି ଗ୍ରହଣ କରିବେ ନାହିଁ। ଜଘନ୍ୟ ଅପରାଧର ଶିକାର ହୋଇଥିବା ଝିଅକୁ ନ୍ୟାୟ ନ ଦେଇ, ପ୍ରତିଶୋଧ ପରାୟଣ ଭାବ ନେଇ ଆପଣ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଦେଶପାଇଁ ବିପଦ ଜନକ। ଆପଣଙ୍କୁ ଅନୁରୋଧ, ଏଥିରୁ କ୍ଷାନ୍ତ ରୁହନ୍ତୁ। ଶାନ୍ତ ରହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୋହନ ମାଝୀ।

ସେହିପରି ଉତ୍ତରପୂର୍ବାଞ୍ଚଳ ପ୍ରତି ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦିଦିଙ୍କୁ କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ। ରାଜନେତା ହୋଇ ପବ୍ଲିକ ପ୍ଲାଟଫର୍ମରେ ହିଂସା କଥା କହିବା ନିନ୍ଦନୀୟ ବୋଲି ସେ ଉଲ୍ଲେଖ କରିଛନ୍ତି।

ସୂଚନାଥାଉକି, ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ରାଜନୀତିକରଣ କରି ବିଜେପି ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ନେଇ ଗତକାଲି ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ବିଜେପି ଏପରି କରୁଥିବା କହି ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଧମକ ଦେଇଛନ୍ତି। ଯଦି ପଶ୍ଚିମବଙ୍ଗ ଜଳିବ ତେବେ ଆସାମ, ନର୍ଥ ଇଷ୍ଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା, ଦିଲ୍ଲୀ ମଧ୍ୟ ଜଳିବ। କାହାକୁ ଛାଡ଼ିବୁ ନାହିଁ। ଆପଣଙ୍କ ଚେୟାର ଟଳମଳ କରିଦେବୁ ବୋଲି ସେ ଚେତାବନୀ ଦେଇଥିଲେ।

Leave A Reply

Your email address will not be published.