Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗରେ ରହୁଥିବା ବାହାର ଲୋକ ଢଙ୍ଗରେ ରୁହ, ଏଭଳି ଚେତାବନୀ କାହିଁକି ଦେଲେ ମମତା

ଓଏଲ୍‌ ବ୍ୟୁରୋ: କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପଡ଼ୁଛି ଉଠୁଛି ପଶ୍ଚିମବଙ୍ଗ। ଏପରିକି ସାରା ଦେଶରେ ପଶ୍ଚିମବଙ୍ଗ ଲଜ୍ଜ୍ୟାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଛାତ୍ର ସମାଜଠୁ ଆରମ୍ଭ କରି ପଶ୍ଚିମବଙ୍ଗର ଜନତା ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି। ଏହାପରେ ବୁଧବାର ବିଜେପି ପକ୍ଷରୁ ପଶ୍ଚିମବଙ୍ଗ ବନ୍ଦ ଡାକରା ଦିଆଯାଇଥିଲା। ଯାହାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା। ପ୍ରଥମଥର ପାଇଁ ମମତା ବାନାର୍ଜୀଙ୍କ ବିରୋଧରେ ଏତେ ବଡ଼ ବିକ୍ଷୋଭ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ଅନ୍ୟପଟେ ମମତା ବାନାର୍ଜୀ ଦେଇଛନ୍ତି ଚେତାବନୀ। ଯାହାକୁ ନେଇ ଜାତୀୟ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି।

ଏସବୁ ମଧ୍ୟରେ ବାହାରୀ କାର୍ଡ ଖେଳିଛନ୍ତି ମମତା ବାନାର୍ଜୀ। ଯାହା ୨୦୦୧ ବିଧାନସଭା ନିର୍ବାଚନରେ ଆପଣେଇଥିଲେ ମମତା। ବିଜେପି ପକ୍ଷରୁ କରାଯାଇଥିବା ବନ୍ଦ ପ୍ରସଙ୍ଗରେ ମମତା କହିଛନ୍ତି, ରାଜ୍ୟ ବାହାରର ଲୋକ ଯେଉଁମାନେ ପଶ୍ଚିମବଙ୍ଗରେ ରହୁଛନ୍ତି, ସେମାନଙ୍କୁ ରାଜ୍ୟକୁ ପ୍ରେମ କରିବା କଥା। ବଙ୍ଗର ଲୋକ ପ୍ରେମର ସହ ସ୍ବୀକାର କରିନେବେ। ହେଲେ ରାଜ୍ୟକୁ କ୍ଷତି ପହଁଚାଇବାକୁ ଚାହୁଁଥିବା ବାହାର ଲୋକଙ୍କୁ ସଠିକ୍‌ ଜବାବ ଦିଆଯିବ ବୋଲି କହିଛନ୍ତି ମମତା।

ମମତା ବାନାର୍ଜୀ ଆହୁରି କହିଛନ୍ତି, ଯଦି ଆପଣମାନେ ବିଜେପି କର୍ମୀଙ୍କ ସହିତ ମିଶି ପୁଲିସଙ୍କୁ ପିଟିବେ ତେବେ ଆପଣଙ୍କୁ ମଧ୍ୟ କିଏ ପିଟିପାରେ। ହେଲେ ମୁଁ କେବେ ହେଲେ ଚାହେଁ ନାହିଁ ରାଜ୍ୟରେ ବିବାଦ ହେଉ ବୋଲି ମମତା ବାନାର୍ଜୀ କହିଛନ୍ତି। ସେ ଆହୁରି ବିଜେପିକୁ ଟାର୍ଗେଟ କରି କହିଛନ୍ତି, କିଛି ଲୋକ ଆମକୁ ବାଂଲାଦେଶ ଭାବୁଛନ୍ତି।

ସୂଚନାଥାଉକି, ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ରାଜନୀତିକରଣ କରି ବିଜେପି ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ନେଇ ଗତକାଲି ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ବିଜେପି ଏପରି କରୁଥିବା କହି ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଧମକ ଦେଇଛନ୍ତି। ଯଦି ପଶ୍ଚିମବଙ୍ଗ ଜଳିବ ତେବେ ଆସାମ, ନର୍ଥ ଇଷ୍ଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡ଼ିଶା, ଦିଲ୍ଲୀ ମଧ୍ୟ ଜଳିବ। କାହାକୁ ଛାଡ଼ିବୁ ନାହିଁ। ଆପଣଙ୍କ ଚେୟାର ଟଳମଳ କରିଦେବୁ ବୋଲି ସେ ଚେତାବନୀ ଦେଇଥିଲେ। ଯାହାକୁ ନେଇ ରାଜନୀତି ପାରା ଉପରକୁ ଚଢ଼ିଥିଲା।

ମମତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଆସମା ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଦିଦି ଆପଣଙ୍କର ସାହାସ କେମିତି ହେଲା ଆସାମକୁ ଧମକ ଦେବା ପାଇଁ। ରାଜନୀତିରେ ଅସଫଳତା ହାସଲ କରୁଛନ୍ତି ବୋଲି ଭାରତକୁ ଜଳେଇବାକୁ ଚେଷ୍ଟା କରନ୍ତୁ ନାହିଁ। ଆପଣଙ୍କ ମୁହଁରେ ବିଭାଜନକାରୀ ଭାଷା ଶୋଭା ପାଉନାହିଁ।

ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବାପାଇଁ ମମତା ବାନାର୍ଜୀଙ୍କୁ ଅଧିକାର ଦେଲା କିଏ ? ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ ଏବଂ ସଚେତନ। ଆମ ରାଜ୍ୟ ଓଡ଼ିଶା ପ୍ରତି ଆପଣଙ୍କର ଏଭଳି ବିଦ୍ୱେଷ ଭାବ, ନକରାତ୍ମକ ମନ୍ତବ୍ୟ ଏବଂ ସମ୍ବେଦନହୀନ ମନୋଭାବକୁ ଆମ ଓଡ଼ିଶାବାସୀ କେବେବି ଗ୍ରହଣ କରିବେ ନାହିଁ। ଜଘନ୍ୟ ଅପରାଧର ଶିକାର ହୋଇଥିବା ଝିଅକୁ ନ୍ୟାୟ ନ ଦେଇ, ପ୍ରତିଶୋଧ ପରାୟଣ ଭାବ ନେଇ ଆପଣ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଦେଶପାଇଁ ବିପଦ ଜନକ। ଆପଣଙ୍କୁ ଅନୁରୋଧ, ଏଥିରୁ କ୍ଷାନ୍ତ ରୁହନ୍ତୁ। ଶାନ୍ତ ରହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୋହନ ମାଝୀ।

ସେହିପରି ଉତ୍ତରପୂର୍ବାଞ୍ଚଳ ପ୍ରତି ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦିଦିଙ୍କୁ କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ। ରାଜନେତା ହୋଇ ପବ୍ଲିକ ପ୍ଲାଟଫର୍ମରେ ହିଂସା କଥା କହିବା ନିନ୍ଦନୀୟ ବୋଲି ସେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.