ଅଡୁଆରେ ନିଲମ୍ବିତ ଆଇପିଏସ୍ ରାଜେଶ ପଣ୍ଡିତ, ଜାରି ହେଲା କଡ଼ା ନିର୍ଦ୍ଦେଶ
ଓଏଲ୍ ବ୍ୟୁରୋ: ଅଡୁଆରେ ନିଲମ୍ବିତ ଆଇପିଏସ୍ ରାଜେଶ ପଣ୍ଡିତ। ଆସିଥିବା ଅଭିଯୋଗର ଜବାବ ଦେବାକୁ ୩୦ ଦିନର ମହଲତ ଦିଆଯାଇଛି। ଯେଉଁ ଅଭିଯୋଗକୁ ସ୍ବୀକାର କରିନାହାନ୍ତି ତାହାର ତଦନ୍ତ ହେବ। ଯଦି ଧାର୍ଯ୍ୟ ସମୟରେ ଜବାବ ନ ଦିଅନ୍ତି, କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି। ତଦନ୍ତ କମିଟି ପାଖରେ ବ୍ୟକ୍ତିଗତ ହାଜର ହେବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି। ହାଜର ନ ହେଲେ ଅନୁପସ୍ଥିତ ଦର୍ଶାଇ ତଦନ୍ତ କମିଟି ଏକପାଖିଆ ନିଷ୍ପତ୍ତି ନେବ ବୋଲି ଦର୍ଶାଯାଇଛି।
ସୂଚନା ଅନୁସାରେ, ଜୁଲାଇ ୩୦ରେ ବରିଷ୍ଠ ପୁଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇ.ପି.ଏସ) ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବାର ଅଭିଯୋଗରେ ନିଲମ୍ବିତ କରାଯାଇଛି। ବିଶୃଙ୍ଖଳିତ ବରିଷ୍ଠ ପୁଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ସଂପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା।