Odisha Link
Bridging the Missing Links in Odisha

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ସାମ୍ନାକୁ ଆସିଲା ଅଡିଓ କଲ୍‌ ରେକର୍ଡ

ଓଏଲ୍‌ ବ୍ୟୁରୋ: କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତାତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ଏହି ଘଟଣାରେ ଅଭୟାଙ୍କ ବାପା, ମାଙ୍କୁ ହସ୍ପିଟାଲରୁ ଯାଇଥିବା ପ୍ରଥମ କଲ୍‌ ରେକର୍ଡ ସାମ୍ନାକୁ ଆସିଛି। ଅଭୟାଙ୍କ ବାପା, ମାଙ୍କୁ ହସ୍ପିଟାଲର ଜଣେ ମହିଳା କର୍ମଚାରୀଙ୍କ କଲ୍‌ ରେକର୍ଡ ସାମ୍ନାକୁ ଆସିଥିବାବେଳେ ଝିଅ ଦେହ ବହୁତ ଖରାପ ଥିବା, ତୁରନ୍ତ ହସ୍ପିଟାଲକୁ ଆସିବାକୁ ସେ କହୁଛନ୍ତି।

ଝିଅ ଦେହ କ’ଣ ହୋଇଛି ବୋଲି ପଚାରିଛନ୍ତି ଅଭୟାଙ୍କ ବାପା। ସେକଥା ଡାକ୍ତର କହିବେ, ମୁଁ ଡାକ୍ତର ନୁହେଁ କହୁଛନ୍ତି ସଂପୃକ୍ତ କର୍ମଚାରୀ। ଦେହ ଖରାପ ଥିଲା, ହସ୍ପିଟାଲରେ ଭର୍ତ୍ତି କରାଯାଇଛି କହିଥିଲେ କର୍ମଚାରୀ। ଆପଣ ଯେତେ ଜଲ୍‌ଦି ପାରିବେ ହସ୍ପିଟାଲ ପଳାଇ ଆସନ୍ତୁ ବୋଲି କହିଥିଲେ। ଶେଷକୁ ଅଭୟା ଆତ୍ମହତ୍ୟା କରିଥିବା କଥା କହୁଛନ୍ତି ଉକ୍ତ କର୍ମଚାରୀ। ଝିଅ ଆତ୍ମହତ୍ୟା କରିଛି, ଯେତେ ଜଲ୍‌ଦି ପାରୁଛନ୍ତି ଆସନ୍ତୁ ବୋଲି କହିଛନ୍ତି।

ସୂଚନା ଅନୁସାରେ, ଅଗଷ୍ଟ ୯ ତାରିଖରେ କୋଲକାତାର ଆର୍‌ଜି କର ହସ୍ପିଟାଲର ସେମିନାର ହଲ୍‌ରେ ଜଣେ ମହିଳା ଡାକ୍ତରଙ୍କ ସହ ନୃଶଂସ ଘଟଣା ଘଟିଥିଲା। ହସ୍ପିଟାଲରେ ଡ୍ୟୁଟିରେ ନିୟୋଜିତ ଥିବା ଜଣେ ଗ୍ରାଜୁଏଟ୍‌ ରେସିଡାଣ୍ଟ ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିଲା। ସେମିନାର ହଲରେ ତାଙ୍କୁ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ନିକଟକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରି ସାରିଛି।

Leave A Reply

Your email address will not be published.