ମନ୍ତ୍ରୀଙ୍କ ଦୃଢ଼ୋକ୍ତି: ଖୁବଶୀଘ୍ର ପୂରଣ ହେବ ଆରଆଇ, ଅମିନ ପଦବୀ
ଓଏଲ୍ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିବସ। ବିଧାନସଭା ଅଧିବେଶନର ଅଷ୍ଟମ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିବାବେଳେ କିଛି ସମୟ ପରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏସବୁ ଭିତରେ ଆରଆଇ, ଅମିନ ପଦବୀ ପୂରଣ ହେବା ନେଇ ମନ୍ତ୍ରୀଙ୍କ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ରାଜ୍ୟରେ କ୍ଷମତାସମ୍ପନ୍ନ କମିଟିର ଅନୁମୋଦନ କ୍ରମେ ଖାଲି ପଡ଼ିଥିବା ୭୮୯ ରାଜସ୍ବ ନୀରିକ୍ଷକ, ୧୩୮୫ ସଂଖ୍ୟକ ସହକାରୀ ରାଜସ୍ବ ନୀରିକ୍ଷକ ଓ ୧୧୬୯ ସଂଖ୍ୟକ ଅମିନ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପଦବୀ ଗୁଡ଼ିକୁ ପ୍ରତ୍ୟକ୍ଷ ଚୟନ ପ୍ରକ୍ରିୟା ଭିତ୍ତିରେ ପୂରଣ କରିବା ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ନିକଟରେ ଅଧିଯାଚନ କରାଯାଇଛି ବୋଲି ବିଧାନସଭାରେ ଏକ ତାରକା ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ରାଜ୍ୟରେ ସମସ୍ତ ତହସିଲରେ କେତେ ସଂଖ୍ୟକ ଆରଆଇ, ଏଆରଆଇ ଓ ଅମିନ ପଦବୀ ଖାଲି ପଡ଼ିଛି ଏବଂ ଏହା କେବେ ସୁଦ୍ଧା ପୂରଣ ହେବ ସେନେଇ ଆଜି ବିଧାୟକ ଅମରେନ୍ଦ୍ର ଦାସ ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ମୋଟ ୩୫୪୬ଟି ମଞ୍ଜୁରୀ ପ୍ରାପ୍ତ ଆରଆଇ ପଦବୀ ରହିଛି। ତନ୍ମଧ୍ୟରୁ ୯୮୮ ଟି ପଦବୀ ଖାଲି ପଡ଼ିଛି।
୩୦୭୩ଟି ମଞ୍ଜୁରୀ ପ୍ରାପ୍ତ ଏଆରଆଇ ପଦବୀରୁ ୧୭୩୩ଟି ଖାଲି ରହିଛି। ସେହିପରି ୨୭୬୭ଟି ଅମିନ ପଦବୀରୁ ୧୫୪୭ଟି ପଦ ଖାଲି ପଡ଼ିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ଅପରପକ୍ଷେ ରାଜ୍ୟରେ ୩୧୭ ଟି ତହସିଲ ଥିବାବେଳେ ୫ଟି ତହସିଲଦାର ଏବଂ ୨୧୭ଟି ଅତିରିକ୍ତ ତହସିଲଦାର ପଦବୀ ଖାଲି ରହିଛି। ସମସ୍ତ ପଦବୀରେ ଚୟନ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହୋଇ ସରିବ ବୋଲି ମନ୍ତ୍ରୀ ଗୃହରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।