ମହିଳାଙ୍କ ସମ୍ମାନ ପାଇଁ ବଡ଼ ପଦକ୍ଷେପ: ସର୍ବସାଧାରଣ ସ୍ଥାନରେ ନିର୍ମାଣ ହେବ ସ୍ତନ୍ୟପାନ କକ୍ଷ

ଓଏଲ୍ ବ୍ୟୁରୋ: ମହିଳାଙ୍କ ସମ୍ମାନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ। ଏ ନେଇ ସବୁ ଜିଲ୍ଲାପାଳ ଓ ବିଭାଗକୁ ଚିଠି ଲେଖିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ସର୍ବସାଧାରଣ ସ୍ଥାନ ଏବଂ ଘରୋଇ କାର୍ଯ୍ୟାଳୟରେ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସ୍ଵତନ୍ତ୍ର ଶାସନ ସଚିବ ଏବଂ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି।
ଚିଠିରେ ଉଲ୍ଲେଖ କରାଯାଇଛି ଯେ ମହିଳାମାନଙ୍କ ପାଇଁ ଏକ ଅନୁକୂଳ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ କାର୍ଯ୍ୟସ୍ଥଳୀ ଯୋଗାଇଦେବା ପାଇଁ ଆପଣଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ଥିବା କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କରାଇବା ପାଇଁ ଏକ ଆରାମଦାୟକ, ଏକାନ୍ତ ଏବଂ ସ୍ୱଚ୍ଛ ସ୍ଥାନ ପ୍ରତିଷ୍ଠା ପାଇଁ ଅନୁରୋଧ କରାଯାଉଛି। ଏହାଦ୍ବାରା ଆପଣଙ୍କ ପ୍ରତିଷ୍ଠାନ ମା’ମାନଙ୍କୁ ସମର୍ଥନ କରିବା ସହ ସେମାନଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦେବ। ଯାହାଦ୍ବାରା ମହିଳା କର୍ମଚାରୀମାନେ ଉପକୃତ ହୋଇପାରିବେ। ଏନେଇ ବିହିତ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରାଯାଇଛି।