Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପାଇଁ ୧୦୩ କୋଟି ଟଙ୍କାର ବଳକା ବଜେଟ୍ ପାରିତ

ଓଏଲ୍‌ ବ୍ୟୁରୋ: ଆଜି ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ।ଗଜପତି ମହାରାଜା ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଦୀର୍ଘ ଚାରିଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ଏହି ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୧୩ କୋଟି ଟଙ୍କାର ଶ୍ରୀମନ୍ଦିର ବଜେଟ ଅନୁମୋଦନ କରାଯାଇଛି। ୧୦୩ କୋଟି ଟଙ୍କାର ବଳକା ବଜେଟ୍ ଚଳିତ ଥର ପାରିତ ହୋଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡକୁ ବୈଠକରେ ସ୍ୱାଗତ କରାଯାଇଥିଲା। ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହୋଇଥିବା ବେଲେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବା ସମ୍ପୃକ୍ତ ନିଯୋଗ ସହ ଅଧିକ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ସେହିପରି ନାଟମଣ୍ଡପରେ ଥିବା ସମସ୍ତ ଆଲମିରା କଢାଯିବା ସହ ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ। ବିଶେଷକରି ମହିଳା, ଛୋଟ ଶିଶୁ, ବୃଦ୍ଧ ବୃଦ୍ଧା ମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଧାଢି ବ୍ୟବସ୍ଥା କରାଯିବ।

ଶ୍ରୀମନ୍ଦିର ନୀତି ଶୃଙ୍ଖଳିତ ହେବା ଉପରେ ଆଲୋଚନା ହୋଇଥିବା ବେଳେ ନିୟମିତ ନୀତି ସବକମିଟି ବୈଠକ ପ୍ରତ୍ୟକ ମାସରେ ଅନୁଷ୍ଠିତ ହେବାକୁ ନିଷ୍ପତି ନିଆଯାଇଛି। ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଏଫ୍ ଏମ୍ ଚ୍ୟାନେଲ କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା। ସେବାୟତ କଲ୍ୟାଣ ଉପରେ ଆଲୋଚନା ହୋଇଥିବା ବେଳେ ସେବକଙ୍କ ପରିବାର ପିଲାଙ୍କ ପାଇଁ ବୃତ୍ତି, ଖେଳକୁଦ ପ୍ରୋତ୍ସାହନ ନେଇ ବ୍ୟବସ୍ଥା କରାଯିବ।

ଜମିଜମା ସମସ୍ୟାର ସମାଧାନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ବୈଠକରେ ଆଡ଼ପ ମଣ୍ଡପ ପହଣ୍ଡି ଅଘଟଣ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା ବେଳେ ଘଟଣାକୁ ନେଇ ପରିଚାଳନା କମିଟି ଦୁଖଃ ପ୍ରକାଶ କରିଥିଲେ। ତିନିଜଣିଆ କମିଟିର ରିପୋର୍ଟ ଉପରେ ଆଲୋଚନା ହୋଇଥିବା ବେଳେ ପୁଣିଥରେ ପହଣ୍ଡି ବିଭ୍ରାଟର ଭିଡିଓ ଦେଖାଯିବାକୁ ନିଷ୍ପତି ହୋଇଥିଲା।ତଦନ୍ତ ରିପୋର୍ଟ ଅସମ୍ପୂର୍ଣ୍ଣ ଥିବା ପରିଚାଳନା କମିଟି ଅନୁଭବ କରିଥିବା ବେଳେ ପୁର୍ନବାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କେଉଁ ମାନେ ଦାୟୀ ତାହା ପ୍ରକାଶ କରାଯିବ।

ତେବେ ଆଗାମୀ ଦିନରେ ପହଣ୍ଡି ସୁପରିଚାଳନା ନେଇ ନଅ ଗୋଟି ବିନ୍ଦୁ ଉପରେ ଆଲୋଚନା ହୋଇଥିବା ବେଳେ ବାଡଗ୍ରାହୀ ମାନେ ରଥ ଉପରେ କେତେଜଣ ସେବକ ରହିବେ ତାହା ନିର୍ଧାରଣ କରିବେ ବୋଲି ନିଷ୍ପତି ହୋଇଛି। ଜିଲ୍ଲାପାଳ ଓ ଏସପିଙ୍କୁ ନେଇ କମିଟି ଗଠନ ହୋଇଥିବା ବେଳେ ଘଟଣାର ପୁନରାବୃତ୍ତି କିଭଳି ନହେବ ସେନେଇ ଆଲୋଚନା ହୋଇଥିବା ବେଳେ ଛାଟେଣୀ ଭଲକରି ବାନ୍ଧିବାକୁ ନିଷ୍ପତି ନିଆଯାଇଅଛି।

Leave A Reply

Your email address will not be published.