Odisha Link
Bridging the Missing Links in Odisha

ଛାତ୍ରୀ ନିବାସ ୱାଶରୁମରୁ ମିଳିଲା ଗୁପ୍ତ କ୍ୟାମେରା, ୩୦୦ରୁ ଅଧିକ ଫଟୋ-ଭିଡିଓ ବିକ୍ରି କରିଛି ଅଭିଯୁକ୍ତ

ଓଏଲ୍‌ ବ୍ୟୁରୋ: ପଶ୍ଚିମବଙ୍ଗ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ସାରା ଦେଶରେ ମହିଳାଙ୍କ ସୁରକ୍ଷା ନେଇ ଚାଲିଛି ଚର୍ଚ୍ଚା। ଏସବୁ ମଧ୍ୟରେ ପୁଣି ଏକ ସ୍ତବ୍ଧ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଏକ ଇଞ୍ଜିନିୟରିଂ କଲେଜର ମହିଳା ଛାତ୍ରୀ ନିବାସରୁ ୱାଶରୁମରରୁ ମିଳିଛି ଗୁପ୍ତ କ୍ୟାମେରା। ଏହି କ୍ୟାମେରା ଜରିଆରେ ଛାତ୍ରୀଙ୍କ ଭିଡିଓ ରେକର୍ଡିଂ କରାଯାଇ କିଛି ଛାତ୍ରଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଆନ୍ଧ୍ରପ୍ରଦେଶର କୃଷ୍ଣାନଗର ଜିଲାରେ ଥିବା ଗୁଲବର୍ଗ ଇଞ୍ଜିନିୟରିଂ କଲେଜରୁ ସାମ୍ନାକୁ ଆସିଛି।

ଏଠାରେ ଛାତ୍ରୀମାନେ ରହୁଥିବା ହଷ୍ଟେଲର ବାଥରୁମରେ ଗୁପ୍ତ କ୍ୟାମେରା ଲାଗିଥିବା ଗତକାଲି ଛାତ୍ରୀମାନେ ଜାଣିବାକୁ ପାଇଥିଲେ। ଏହାପରେ ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଏପରି ସଙ୍ଗୀନ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଖୋଳତାଡ଼ କରି ବଏଜ୍ ହଷ୍ଟେଲର ଜଣେ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବିଟେକ ଶେଷ ବର୍ଷର ଛାତ୍ର ବିଜୟ କୁମାର। ପୁଲିସ ତାଙ୍କ ଲାପଟପ୍ ଜବତ କରି ଅଧିକ ତଦନ୍ତ କରୁଛି।

ସଂପୃକ୍ତ ଛାତ୍ରଙ୍କ ଲ୍ୟାପଟପ ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟଜନକ ତଥ୍ୟା ସାମ୍ନାକୁ ଆସିଛି। ଲ୍ୟାପଟପରେ ୩ଶହରୁ ଅଧିକ ଅଶ୍ଳିଳ ଭିଡ଼ିଓ ଠାବ କରିଛି ପୁଲିସ। ଘଟଣାରେ ସଂପୃକ୍ତ ଛାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି କଲେଜର ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। କଲେଜ ଏବଂ ହଷ୍ଟେଲରେ ଛାତ୍ରୀମାନେ ଅସୁରକ୍ଷିତ ଥିବା ଅଭିଯୋଗ ହୋଇଛି।

ସୂଚନାଥାଉକି, ଗତକାଲି ସନ୍ଧ୍ୟାରେ କିଛି ଛାତ୍ରୀ ଗାଧୁଆ ଘରେ କ୍ୟାମେରା ଲୁଚା ଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଭୟଭୀତ ହୋଇ ପଡ଼ିବା ସହ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଥିଲେ। ଏପରି ସମ୍ବେଦନଶୀଳ ଘଟଣା ପାଇଁ ଉତ୍ତରଦାୟୀ କିଏ ରହିବ ଏବଂ ଆମେ ନ୍ୟାୟ ଚାହୁଁ ଦାବି କରି ଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ଗତକାଲି ସନ୍ଧ୍ୟା ୭ ଟାରୁ ଆଜି ସକାଳ ପର୍ଯ୍ୟନ୍ତ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ।

Leave A Reply

Your email address will not be published.