Odisha Link
Bridging the Missing Links in Odisha

ବିଜେପିରେ ମିଶିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟିରେ ମିଶିଲେ ଝାଡ଼ଖଣ୍ଡ ବାଘ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ବିଧିବଦ୍ଧ ଭାବେ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ବିଜେପିରେ ସାମିଲ ହୋଇଛନ୍ତି ଚମ୍ପାଇ ସୋରେନ। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଆସାମର ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ନିର୍ବାଚନ ଦାୟିତ୍ବରେ ଥିବା ହିମନ୍ତ ବିଶ୍ବଶର୍ମାଙ୍କ ଉପସ୍ଥିତିରେ ପଦ୍ମ ଶିବିରରେ ପ୍ରବେଶ କରିଛନ୍ତି ଚମ୍ପାଇ ସୋରେନ।

ଚଳିତ ବର୍ଷ ଶେଷ ଆଡ଼କୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହୋଇପାରେ। ତାପୂର୍ବରୁ ଝାଡ଼ଖଣ୍ଡ ବାଘ ଭାବେ ଜଣାଶୁଣା ଚମ୍ପାଇ ସୋରେନଙ୍କ ବିଜେପିରେ ମିଶିବା ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କାହିଁକିନା ଚମ୍ପାଇ ବିଜେପିରେ ମିଶିବା ପରେ ‘ଜେଏମଏମ’ ଦଳର କିଛି ନେତା ମଧ୍ୟ ଦଳ ଛାଡି ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ଯାହା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ନିର୍ବାଚନୀ ଅଡୁଆ ସୃଷ୍ଟି କରିପାରେ। ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ ବେଲ ପାଇ ଜେଲରୁ ଫେରିବା ପରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡୁବାକୁ କୁହାଯାଇଥିଲା। ଯାହା ପରେ ସେ ଅସନ୍ତୁଷ୍ଟ ଥିଲେ। ବିଜେପିରେ ସାମିଲ ହେବା ପରେ ଚମ୍ପାଇଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଝାଡ଼ଖଣ୍ଡ ବାଘଙ୍କୁୁ ମିଳିଥିଲା ଅପମାନ !
ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାନୁଆରୀ ୩୧ ତାରିଖରେ ଇଡି ଗିରଫ କରିଥିଲା। ପରେ ଫେବ୍ରୁଆରୀ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଜେଏମ୍‌ଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ। ପରେ ଜୁଲାଇ ୩ ତାରିଖରେ ହେମନ୍ତ ସୋରେନଙ୍କୁ ବେଲ୍‌ ମିଳିିଥିଲା। ତାହାପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ। ଚମ୍ପାଇ ସୋରେନ ଯେଉଁଭଳି ଭାବେ ମୁଖ୍ୟପଦରୁ ହଟିଲେ ଏବଂ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେଲେ, ସେଥିରେ ସେ ଖୁସି ନଥିଲେ । ଏହି ଘଟଣାରେ ଦଳରେ ଅପମାନ ମିଳିଥିବା କହି ଦୁଃଖ ପ୍ରକାଶ କରି ପୂର୍ବରୁ ପୋଷ୍ଟ କରିଥିଲେ ଚମ୍ପାଇ ସୋରେନ।

ସୂଚନାଥାଉକି, ଅଗଷ୍ଟ ୧୮ ତାରିଖରେ ଚମ୍ପାଇ ‘ଜେଏମଏମ’ର ୬ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଦିଲ୍ଲୀ ଯାଇଥିଲେ। ସେହି ସମୟରେ ତାଙ୍କୁ ବିଜେପିରେ ମିଶିବା ନେଇ ପ୍ରଶ୍ନ କରାଯିବାରୁ ଏହାକୁ ଖଣ୍ଡନ କରିଥିଲେ। ମୁଖ୍ୟମନ୍ତ୍ରୀ ଥିବାବେଳେ ଦଳରେ ତାଙ୍କୁ ଅପମାନିତ କରାଯାଉଥିବା ଏକ୍ସରେ ଟ୍ବିଟ କରି କହିଥିଲେ ସୋରେ ।

ଚମ୍ପାଇ ସୋରେନ କିଏ ?
ଝାଡ଼ଖଣ୍ଡର ଜଣେ ପୁରୁଖା ନେତା ଅଟନ୍ତି ଚମ୍ପାଇ ସୋରେନ। ଝାଡ଼ଖଣ୍ଡ ବାଘ ଭାବେ ପରିଚିତ ଚମ୍ପାଇ ୨୦୦୫ରୁ କ୍ରମାଗତ ଭାବେ ୪ ଥର ବିଧାୟକ ଭାବେ ଜିତିଛନ୍ତି। ତିନି ତିନି ଥର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ବର୍ତମାନର କ୍ୟାବିନେଟ୍‌ରେ ସେ ପରିବହନ, ପଛୁଆ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ। ସେ ପ୍ରଥମ ଥର ପାଇଁ ୨୦୦୫ରେ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଓ ପରେ ଜେଏମ୍‌ଏମ୍‌ରେ ଯୋଗ ଦେଇଥିଲେ।

୨୦୦୯ରେ ଦ୍ବିତୀୟ ଥର ପାଇଁ ବିଧାୟକ ନିର୍ବାଚିତ ହେବା ପରେ ବିଜେପିର ଅର୍ଜୁନ ମୁଣ୍ଡାଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ। ୨୦୧୦ରୁ ୨୦୧୩ ଯାଏଁ ବିଜ୍ଞାନ ଓ ବୈଷୟିକ, ଶ୍ରମ ଓ ଗୃହ ନିର୍ମାଣ ବିଭାଗର ମନ୍ତ୍ରୀ ଓ ଜୁଲାଇ ୨୦୧୩ରୁ ୨୦୧୪ ଖାଦ୍ୟ ଓ ବେସାମରିକ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ବ ଦୁଲାଇଥିଲେ। ୨୦୧୪ରେ ସେ ତୃତୀୟ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ଓ ୨୦୧୯ରେ ୪ର୍ଥ ପାଇଁ ନିର୍ବାଚିତ ହୋଇଥିଲେ। ଚମ୍ପାଇ ସୋରେନ୍‌ଙ୍କ ପିତା ସିମଲ ସୋରେନ୍‌ ଜଣେ ଚାଷୀ ଅଟନ୍ତି। ତାଙ୍କର ୩ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି। ଚମ୍ପାଇଙ୍କ ପତ୍ନୀଙ୍କ ନାମ ମାନକୋ ସୋରେନ୍‌। ତାଙ୍କର ୪ଟି ପୁଅ ଓ ୩ଟି ଝିଅ ଅଛନ୍ତି।

Leave A Reply

Your email address will not be published.