ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଆରମ୍ଭ, ଅଧ୍ୟକ୍ଷତା କରୁଛନ୍ତି ଗଜପତି ମହାରାଜା
ଓଏଲ୍ ବ୍ୟୁରୋ: ଆଜି ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହେଉଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ।ଗଜପତି ମହାରାଜା ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି। ୨୦୨୪-୨୦୨୫ ଆର୍ଥିକ ବର୍ଷର ଶ୍ରୀମନ୍ଦିର ବଜେଟ ଆଗତ କରାଯିବ। ଅର୍ଥ ସବକମିଟି ବୈଠକରେ ଚଳିତ ବର୍ଷର ବଜେଟ ଆଗତ କରାଯାଇଥିବା ବେଳେ ୩୮୬ କୋଟି ଟଙ୍କାର ବଜେଟ ଅଟକଳ କରାଯାଇଅଛି। ତେବେ ଆଜି ପରିଚାଳନା କମିଟି ବୈଠକରେ ଏହା ଅନୁମୋଦନ କରାଯିବ।
ଶ୍ରୀମନ୍ଦିର ବଜେଟରେ ସେବକଙ୍କ କଲ୍ୟାଣପାଣ୍ଠି ସହ ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଆନୁସଙ୍ଗିକ ବ୍ୟବସ୍ଥା ନେଇ ବ୍ୟୟବରାଦ ଉପରେ ଆଲୋଚନା ହେବ। ସେପଟେ ଆଗାମୀ ଦିନରେ ଭକ୍ତମାନେ ଯେଭଳି ଗୋ୍ଲଡ଼ ବଣ୍ଡ କିଣି ପାରିବେ ସେ ବ୍ୟବସ୍ଥା ନେଇ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବାକୁ ଥିବାବେଳେ ମହାପ୍ରଭୁଙ୍କ ପାଇଁ ନୂଆ ସୁବର୍ଣ୍ଣ ଅଳଙ୍କାର ସେଟ ଗଠନ ପାଇଁ ମଧ୍ୟ ଆଲୋଚନା ହୋଇପାରେ l ସେହିପରି ଗତ ଆଡ଼ପ ମଣ୍ଡପ ସବୁ ପହଣ୍ଡି ସମୟରେ ହୋଇଥିବା ବିଭ୍ରାଟ ଘଟଣାର ୩ ଜଣିଆ ତଦନ୍ତ କମିଟି ରିପୋର୍ଟ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବା ସହ ଏହା ଉପରେ ବିଚାର କରାଯାଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇ ପାରେ।