Odisha Link
Bridging the Missing Links in Odisha

ଛାତ୍ରଛାତ୍ରୀଙ୍କୁ ମିଳିଥାନ୍ତା ମ୍ୟାଜିକ୍‌ କାର୍ଡ, ୭ ମାସରେ ବନ୍ଦ ହୋଇଗଲା ନୂଆ-ଓ

ଓଏଲ୍‌ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ବନ୍ଦ ହେଲା ନୂଆ-ଓ ଛାତ୍ରବୃତ୍ତି ଓ ଯୋଜାନ। ବନ୍ଦ କଲେ ରାଜ୍ୟ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ନୂଆ-ଓ ପରିବର୍ତ୍ତେ ଫାଇନାନ୍ସ ଆସିଷ୍ଟାଣ୍ଟସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଣ୍ଟେସ୍ ନାଁରେ ଆସିବ ନୂଆ ଯୋଜନା। ଏହି ନୂଆ ଯୋଜନା ଚଳିତ ବର୍ଷରୁ ଆରମ୍ଭ କରିବେ ସରକାର। ଏହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।

ସୂଚନାଥାଉକି, ଠିକ୍‌ ନିର୍ବାଚନ ପୂର୍ବରୁ ବିଜେଡି ସରକାର ସାରା ରାଜ୍ୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଆରମ୍ଭ କରିଥିଲେ। ଫେବ୍ରୁଆରୀ ୨୦ ତାରିଖରେ ନୂଆ-ଓ ଛାତ୍ରବୃତ୍ତି ଘୋଷଣା କରିଥିଲେ ସେତେବେଳେ ୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍। ଯାହାଦ୍ବାରା ୪.୫ ଲକ୍ଷ ୟୁଜି ଓ ୩୨ ହଜାର ପିଜି ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ। ଏଥିପାଇଁ ୩୮୫ କୋଟି ଟଙ୍କା କାମଚଳା ବଜେଟରେ ବ୍ୟୟ ଅଟକଳ କରାଯାଇଥିଲା।

ନୂଆ-ଓ ଛାତ୍ରବୃତ୍ତି ଯୋଜନାରେ ସରକାରୀ ବିଶ୍ୱବିଦ୍ୟାଳୟ,ସରକାରୀ କଲେଜ,ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ କଲେଜର ସମସ୍ତସଯୋଗ୍ୟ ପିଜି ଓ ୟୁଜି ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ମିଳିଥିଲା। ସାଧାରଣ ଓ ଓବିସି ବର୍ଗର ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମିଳିଥିବା ବେଳେ। ଏହି ଯୋଜନାରେ ଏସସି/ଏସଟି ଓ ନିର୍ମାଣ ଶ୍ରମିକ ଛାତ୍ରଙ୍କୁ ୧୦ ହଜାର ଓ ଛାତ୍ରୀଙ୍କୁ ୧୧ ହଜାର ଟଙ୍କା ଲେଖାଏଁ ମିଳିଥିଲା। ଏପରିକି ସବୁ କଲେଜରେ ନୂଆ-ଓ ଉତ୍ସବ ପାଳନ କରାଯାଇଥିଲା।

ସେହିପରି ଆଗାମୀ ଦିନରେ ସବୁ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ‘ର ଶୁଭାରମ୍ଭ କରାଯିବ ବୋଲି ସେତେବେଳେ ଭି କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଥିଲେ। ଏହା ଏକ ପଏଣ୍ଟ ବ୍ୟବସ୍ଥା ଭିତ୍ତିକ ସ୍ମାର୍ଟ କାର୍ଡ, ଯାହାକି ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ବିକାଶ, ବ୍ୟକ୍ତିତ୍ଵ ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସଶକ୍ତ କରିବ ବୋଲି ପାଣ୍ଡିଆନ କହିଥିଲେ ଏହି କାର୍ଡ ସମୃଦ୍ଧିର ପାସପୋର୍ଟ ହେବ ବୋଲି କହିଥିଲେ। ଏପରିକି ଅଗଷ୍ଟ ମାସ ଶେଷ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ନୂଆ-ଓ ମ୍ୟାଜିକ କାର୍ଡ ଥିବ ବୋଲି ସରକାର ଘୋଷଣା କରିଥିଲେ। ତେବେ ଏହି ଯୋଜାନର ୭ ମାସ ପୂରଣ ହୋଇଥିବା ବେଳେ ବର୍ତ୍ତମାନର ମୋହନ ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଆମ ସରକାର କାର୍ଯ୍ୟ ଜାରି ରଖିଛି। ଆଗାମୀ ଦିନରେ ଆମ ସରକାର ଫାଇନାନ୍ସ ଆସିଷ୍ଟାଣ୍ଟସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଣ୍ଟେସ୍ ନାଁରେ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଚଳିତ ବର୍ଷଠାରୁ ନୂଆ-ଓ ଛାତ୍ରବୃତ୍ତି ଯୋଜନାର ବଜେଟ ସଂକ୍ରାନ୍ତୀୟ ପ୍ରାବଧାନ ନଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.