Odisha Link
Bridging the Missing Links in Odisha

ପ୍ୟାରିସ୍‌ ପାରାଲିମ୍ପିକ୍ସର ୨ୟ ଦିନ: ଏହି ଖେଳରେ ପଦକ ପକ୍କା କରିପାରନ୍ତି ଭାରତୀୟ ଖେଳାଳି

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ପାରାଲିମ୍ପିକ୍ସର ଆଜି ହେଉଛି ୨ୟ ଦିନ। ଆଜି କିିଛି ଇଭେଣ୍ଟରେ ନଜର ଆସିବେ ଭାରତୀୟ ପାରା ଖେଳାଳି। ଆଜିର ଖେଳରେ ଯଦି ଖେଳାଳି ମାନେ ଆଗକୁ ବଢ଼ନ୍ତି ତେବେ ଭାରତର ପଦକ ଆଶା ବୃଦ୍ଧି ହେବ। ଦ୍ବିତୀୟ ଦିନର ଖେଳରେ ଭାରତୀୟ ପାରା ଖେଳାଳି ଶୁଟିଂରେ ପଦକ ନିଶ୍ଚିତ କରିପାରନ୍ତି। ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗରେ ଅବନୀ ଲେଖରା ସ୍ବର୍ଣ୍ଣ ପଦକ ହାତେଇବାକୁ ଆଜି ମୈଦାନକୁ ଓହ୍ଲାଇବେ।

ପାରା ଆଥେଲିଟିସ୍ରେ କରମ ଜ୍ୟୋତି ଓ ସାକ୍ଷୀ କସାନା ମହିଳା ଡିସ୍‌କସ୍‌ ଥ୍ରୋ ଏଫ୍‌୫୫ ଫାଇନାଲରେ ଭାଗ ନେବେ। ଭାରତ ପ୍ରଥମ ଥର ପାଇଁ ଏହି ଇଭେଣ୍ଟରେ ପୋଡିୟମ୍‌ ଫିନିଶ କରିପାରେ। ସେହିପରି ପ୍ରୀତି ପାଲ ୧୦୦ ମିଟର ଟି୩୫ ଫାଇନାଲରେ ପଦକ ପାଇଁ ଚେଷ୍ଟା କରିବେ।

ଶୁଟିଂରେ ଭାରତର ଆଶା ଅବନୀ ଲେଖରାଙ୍କ ଉପରେ ରହିଛି। ଯିଏ ଟୋକିଓ ପାରାଲିମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗ ଏସ୍‌ଏଚ୍‌ ୧ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ତାଙ୍କଠୁ ଚଳିତ ପାରାଲିମ୍ପିକ୍ସରେ ମଧ୍ୟ ପଦକ ଆଶା ରଖିଛନ୍ତି ୧୪୦ କୋଟି ଭାରତୀୟ। ସେ ଆଜି କ୍ବାଲିଫିକେଶନ୍‌ ରାଉଣ୍ଡରେ ଭାଗ ନେବେ। ସେ ଯଦି ଆଜି ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ସେ ଫାଇନାଲ ମୁକାବିଲାରେ ନଜର ଆସିବେ।

ତୀରନ୍ଦାଜିରେ ସରିତା ରାଉଣ୍ଡ ଅଫ୍‌ ୩୨ ଇଭେଣ୍ଟରେ ମାଲେସିଆର ନୁର ଜନତନ ଅବଦୁଲ ଜଲୀଲଙ୍କୁ ସାମ୍ନା କରିବେ। ଭାରତ ପାଇଁ ପଦକ ଦାବିଦାର ତାଲିକାରେ ମନୀଷ ନରଓ୍ବାଲ ରହିଛନ୍ତି। ଯିଏ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଏସ୍‌ଏଚ୍‌୧ ବିଭାଗରେ ଭାଗ ନେବେ। ଟୋକିଓ ପାରାଲିମ୍ପିକ୍ସରେ ମନୀଷ ସ୍ବର୍ଣ୍ଣ ପଦକ ଜିତିଥିଲେ। ଚଳିତ ପାରାଲିମ୍ପିକ୍ସରେ ମଧ୍ୟ ତାଙ୍କଠୁ ସ୍ବର୍ଣ୍ଣ ପଦକ ଆଶା ରଖିଛନ୍ତି ଭାରତୀୟ।

 

Leave A Reply

Your email address will not be published.