Odisha Link
Bridging the Missing Links in Odisha

‘ସୁଭଦ୍ରା’ ଯୋଜନା ମାର୍ଗଦର୍ଶିକା ଜାରି

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ‘ସୁଭଦ୍ରା ଯୋଜନା’କୁ ରାଜ୍ୟରେ ଲାଗି ରହିଛି ଚର୍ଚ୍ଚା। ଏସବୁ ମଧ୍ୟରେ ଜାରିହେଲା ‘ସୁଭଦ୍ରା’ ଯୋଜନାର ସଂଶୋଧିତ ମାର୍ଗଦର୍ଶିକା।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ରାଜ୍ୟସରକାରଙ୍କ ଯୁଗାନ୍ତକାରୀ ଯୋଜନା ‘ସୁଭଦ୍ରା’ର ମାର୍ଗଦର୍ଶିକା ଜାରି କରାଯାଇଛି। ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ମୋହନ ସରକାର ଆରମ୍ଭ କରିଛନ୍ତି ସୁଭଦ୍ରା ଯୋଜନା।

ରାସନକାର୍ଡଧାରୀ ପରିବାର ସଦସ୍ୟ(ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ) କିମ୍ବା ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଥିବା ଜଣେ ୨୧ରୁ ୬୦ବର୍ଷ ବୟସର ମହିଳା ‘ସୁଭଦ୍ରା’ଯୋଜନା ପାଇଁ ଆବେଦନ କରିପାରିବେ।ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ ଏହି ‘ଆୟସୀମା’କୁ ସାମିଲ କରାଯାଇଛି ଓ ବାକି ଅପରିବର୍ତ୍ତିତ ରହିଛି।

ସରକାରଙ୍କ ତରଫରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ, ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇପାରିବେ ସେଥିପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ହିତାଧିକାରୀଙ୍କ ବୟସ ୨୧ରୁ ଅଧିକ ଓ ୬୦ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ଯୋଗ୍ୟ ମହିଳାଙ୍କ ପାଇଁ କେବଳ ନିଜ ନାମରେ ଆଧାର କାର୍ଡ, ଆଧାର ନମ୍ବର ରହିବା ସହ ସେମାନଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ଆବଶ୍ୟକ। କେବଳ ନିଜ ନାମରେ ବ୍ୟାଙ୍କ ଆକାଉଣ୍ଟକୁ ହିଁ ସିଧାସଳଖ ସହାୟତା ଟଙ୍କା ପ୍ରଦାନ କରାଯିବ। ସମସ୍ତ ହିତାଧିକାରୀଙ୍କୁ ‘ସୁଭ୍ରଦା’ କାର୍ଡ ଦିଆଯିବ ଓ ସମସ୍ତ ଯୋଗ୍ୟ ହିତାଧିକାରୀ ୫ବର୍ଷ ପାଇଁ ଦୁଇଟି କିସ୍ତିରେ ବାର୍ଷିକ ୧୦ହଜାର ଟଙ୍କା ହାରରେ ମୋଟ ୫୦ହଜାର ଟଙ୍କା ପାଇବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

ବିଶେଷ ଭାବେ ଏହି ଯୋଜନା ସମ୍ବନ୍ଧୀୟ କୌଣସି ଭୁଲ ଖବର ଦ୍ଵାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ସମସ୍ତ ହିତାଧିକାରୀଙ୍କୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.