Odisha Link
Bridging the Missing Links in Odisha

ଆଜି ସ୍ବାୟତ୍ତ ଶାସନ ଦିବସ, ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଲେ ମୋହନ ସରକାର

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ସ୍ବାୟତ୍ତ ଶାସନ ଦିବସ। ଏହି ସମାରୋହକୁ ବେଶ୍‌ ଧୁମଧାମରେ ପାଳନ କରୁଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବିଜେପିର ନୂଆ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ସ୍ୱାୟତ୍ତ ଶାସନ ଦିବସ ପାଳନ ହେଉଛି। ଯାହାକୁ ସ୍ମରଣୀୟ କରିବା ପାଇଁ ମୋହନ ସରକାର ନେଇଛନ୍ତି ବଡ଼ ପଦକ୍ଷେପ।

ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟଭାସୀଙ୍କୁ ୧୧୫୧ କୋଟି ଟଙ୍କାର ଭେଟି ଦେବେ। ୩୦ ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏଥିରେ ୧୩୬ଟି ଲୋକାଭିମୁଖୀ ପ୍ରକଳ୍ପ ରହିଛି। ସେହିପରି ୨୭ ଜଣ ଓଡ଼ିଶା ପୌର ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବି ପ୍ରଦାନ କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ୩୪୫ଟି ଉନ୍ନତିମୂଳକ ପ୍ରକଳ୍ପର ଲୋକାର୍ପଣ କରିବେ। ସେହିପରି ୧୩୬ଟି ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରମୁଖ ପରିମଳ କର୍ମଚାରୀଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ସମ୍ମାନ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା କାର୍ଯ୍ୟାନ୍ବୟନ ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଶଂସିତ ସହଯୋଗୀଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ ସିଏମସି ପକ୍ଷରୁ ମଧ୍ୟ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ୱାର୍ଡ଼ରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେବେ। ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଡ଼ିଆ ବଜାରସ ସ୍ଥିତ ନେତାଜୀ ସ୍ମାରକୀ ପ୍ରତିଷ୍ଠାନ, ବକ୍ସିବଜାର ଛକରେ ବକ୍ସି ଜଗବନ୍ଧୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ, ଟାଉନହଲ ନିକଟରେ ଆର୍ଟ ଗ୍ୟାଲେରୀ, ଖାନନଗର ସ୍ମଶାନରେ ସିଏନଜି ଗ୍ୟାସ ଚୁଲା ସହ ବିଭିନ୍ନ ୱାର୍ଡ଼ରେ ସ୍ମାର୍ଟ ପାର୍କ, ପୋଖରୀ ପୁନରୁଦ୍ଧାର, ମିଶନଶକ୍ତି ଗୃହ ପ୍ରମୁଖ ଉଦଘାଟନ ଓ ଶିଳାନ୍ୟାସ ପ୍ରମୁଖ କାର୍ଯ୍ୟକ୍ରମ କରାଯିବ।

Leave A Reply

Your email address will not be published.