Odisha Link
Bridging the Missing Links in Odisha

ଶ୍ରୀମାନଙ୍କ ପରେ ଶ୍ରୀମତୀ ହେଲେ ମୁଖ୍ୟ ଶାସନ ସଚିବ, ଚର୍ଚ୍ଚାରେ ଆଇଏଏସ୍‌ ଦମ୍ପତି

ଓଏଲ୍‌ ବ୍ୟୁରୋ: ପ୍ରଥମଥର ପାଇଁ ଦେଶର ପ୍ରଶାସନିକ କ୍ଷେତ୍ରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଶ୍ରୀମାନଙ୍କ ପରେ ଶ୍ରୀମତି ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ। ଅର୍ଥାତ୍‌ ସ୍ବାମୀଙ୍କ ଅବସର ପରେ ପତ୍ନୀ ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ। ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପତ୍ନୀ। ସ୍ୱାମୀ ମୁଖ୍ୟ ଶାସନ ସଚିବ ପଦରେ ରହି ଅବସର ନେବା ପରେ ଉକ୍ତ ଆସନରେ ବସିଛନ୍ତି ତାଙ୍କ ପତ୍ନୀ। ଏପରି ଏକ ଘଟଣା କେରଳ ଇତିହାସରେ ଘଟିଛି। ଏ ନେଇଇ କଂଗ୍ରେସ ନେତା ତଥା ଥିରୁଅନନ୍ତପୁରମ ସାଂସଦ ଶଶୀ ଥରୁର ନିଜ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ସାରା ଦେଶରେ ଚର୍ଚ୍ଚାରେ ଥିବା ଆଇଏଏସ୍‌ ଦମ୍ପତି ହେଲେ ଡା. ବେଣୁ ବି ଓ ତାଙ୍କ ପତ୍ନୀ ଶାରଦା ମୁରଲିଧରନ। ସୂଚନାଥାଉକି, ଡା. ବେଣୁ ବି କେରଳରେ ମୁଖ୍ୟ ଶାସନ ସଚିବ ପଦରେ କାର୍ଯ୍ୟ କରୁଥିବା ବେଳେ ଗତ ୩୧ ତାରିଖରେ ନିଜ ଚାକିରିରୁ ଅବସର ନେଇଛନ୍ତି। ଡା. ବେଣୁ ବିଙ୍କ ପରେ ଏହି ପଦ ନିମନ୍ତେ କେରଳ ସରକାର ତାଙ୍କ ପତ୍ନୀ ଶାରଦା ମୁରଲିଧରନଙ୍କ ନାମ ଚୂଡ଼ାନ୍ତ କରିଥିଲେ।

ତେଣୁ ଡା. ବେଣୁ ବି ନିଜ ପତ୍ନୀ ତଥା ସଚିବ ପଦରେ ଥିବା ଶାରଦା ମୁରଲିଧରନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏନେଇ ଥିରୁଅନନ୍ତପୁରମ୍‌ସ୍ଥିତ ସଚିବାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ପତିପତ୍ନୀ ଯୋଗ ଦେଇଥିବା ବେଳେ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.