Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ୩୯ ସରକାରୀ କର୍ମଚାରୀ, ୨ ମାସରେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଆଜି ଏକାଦଶ କାର୍ଯ୍ୟ ଦିବସରେ ବିଧାୟିକା ଉପାସନା ମହାପାତ୍ରଙ୍କ ଏକ ପ୍ରଶ୍ନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଛନ୍ତି।

ସେ କହିଛନ୍ତି, ଗୃହରେ ନୂଆ ସରକାର ଗଠନ ହେବାର ୨ ମାସ ଅର୍ଥାତ୍ ଗତ ଜୁନ ୧୨ ତାରିଖରୁ ଅଗଷ୍ଟ ୨୫ ତାରିଖ ମଧ୍ୟରେ ୩୯ ଜଣ ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ଚଢ଼ଉ(ରେଡ) ହୋଇଛି। ସେମାନଙ୍କ ନିକଟରୁ ମୋଟ ୪୯ କୋଟି ୩୫ ଲକ୍ଷ ୯୮ ହଜାର ୭୧୪ ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଜବତ ହୋଇଛି।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୩ ମସିହା ଅଗଷ୍ଟ ପହିଲାରୁ ୨୦୨୪ ମସିହା ଅଗଷ୍ଟ ୨୫ ତାରିଖ ମଧ୍ୟରେ ରେଡ କରାଯାଇ ମୋଟ ୧୧୫ କୋଟି ୭୫ ଲକ୍ଷ ୬୦ ହଜାର ୯୬୫ ଟଙ୍କାର ସମ୍ପତ୍ତି ଜବତ ହୋଇଛି।

ସୂଚନା ଅନୁସାରେ, ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଅଶ୍ବିନୀ ଗୁରୁଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହା ପରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହୋଇଥିବାବେଳେ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.