Odisha Link
Bridging the Missing Links in Odisha

ପୁଣି ଆରମ୍ଭ ହେବ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟ, ଗୃହରେ ଉତ୍ତର ଦେଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ଦ୍ବାଦଶ ଦିନ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏହି ଅବସରରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାମ।

ଆମ ଓଡ଼ିଶା ନବୀନ ଓଡ଼ିଶାରେ ୩୪୫୭ କୋଟିର ବ୍ୟବସ୍ଥା ହୋଇଛି। ୩୦ରୁ ୪୦% କାମ ସଂପୂର୍ଣ୍ଣ ହୋଇଛି। ପେମେଣ୍ଟ ବି କରାଯାଇଛି। ପରିକ୍ରମା ପ୍ରକଳ୍ପ, ଅର୍ପଣ ଚାଉଳ, କ୍ରୀଡ଼ା ବିକାଶରେ ଖର୍ଚ୍ଚ ହୋଇଛି। ସେ ବାବଦରେ ତର୍ଜମା କରୁଛୁ, କାମ କରିଥିବା ସଂସ୍ଥାକୁ ପାଉଣା ଦିଆଯିବ। ଦାଦନ ମୁକ୍ତ ଯୋଜନା ଖୁବଶୀଘ୍ର ଆଣିବାକୁ ଯାଉଛୁ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ କହିଛନ୍ତି।

ସୂଚନା ଅନୁସାରେ, ଗତ ଅଗଷ୍ଟ ୨୭ ତାରିଖ ବିଧାନସଭା ଅଧିବେଶନରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅଧୀନରେ କାର୍ଯ୍ୟନ୍ଵୟନ ହେଉଥିବା ପ୍ରକଳ୍ପ ନେଇ ବିରୋଧୀ ଓ ଶାସକ ଦଳର ବିଧାୟକ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିଥିଲେ।ଶୂନ୍ୟକାଳରେ ଉପରୋକ୍ତ ପ୍ରସଙ୍ଗ ଉଠାଇ ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଲେ ଯେ ରାଜ୍ୟର ୩୧୪ ବ୍ଲକରେ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ଜାରି ରହିଥିବା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରି ଦିଆଯାଇଛି। ଯେଉଁ ପ୍ରକଳ୍ପର ନିର୍ମାଣ ସରିଛି, ତାହାର ବିଲ ଦିଆଯାଉନାହିଁ। ବିଲ ନଦେବାକୁ ସରକାରୀ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି।

ସେହିପରି ଅନେକ ସ୍ଥାନରେ ଟଙ୍କା ମଧ୍ୟ ମଗାଯାଉଛି। ଯଦି ସରକାରଙ୍କର ଯୋଜନା ଜାରି ରଖିବାର ଇଚ୍ଛା ନାହିଁ, ତାହେଲେ ଏହାକୁ ବନ୍ଦ କରିଦିଅନ୍ତୁ। ଯଦି ଯୋଜନା ଚଳାଇବାର ଅଛି, ତାହେଲେ ସଠିକ୍ ଢଙ୍ଗରେ ଚଳାନ୍ତୁ। ନିର୍ମାଣଧୀନ ଅବସ୍ଥାରେ ଥିବା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରଖାଯାଉ। ବିଜେଡି ଏନେଇ ଦୁଇଥର ମୁଲତବୀ ଆଲୋଚନା ପାଇଁ ନୋଟିସ ଦେଇଥିଲେ ହେଁ ବର୍ତ୍ତମାନ ଏହି ବିଷୟର ଆଲୋଚନା ପାଇଁ କୌଣସି ଗୁରୁତ୍ଵ ନାହିଁ ବୋଲି କହି ନୋଟିସକୁ ଅଗ୍ରାହ୍ୟ କରି ଦିଆଯାଉଛି। ଏହା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦେବ କହିଥିଲେ। ଏହାର ଜବାବରେ ଶାସକ ଦଳ ବିଧାୟକ ମାନସ ଦତ୍ତ କହିଥିଲେ ଯେ ଭାତହାଣ୍ଡିରୁ ଗୋଟିଏ ଭାତ ଚିପିଲେ ପୂରା ହାଣ୍ଡିର ସ୍ଥିତାବସ୍ଥା ଜଣାପଡେ।

ଗତ ସରକାର ସମୟରେ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ଅଧୀନରେ ଅନେକ ଜାଲିଆତି ପ୍ରକଳ୍ପ ଦିଆଯାଇଛି। ଏପରିକି ବ୍ୟକ୍ତିଗତ ଘରକୁ ମଧ୍ୟ ଯୋଜନା ଅଧୀନରେ ରାସ୍ତା ଦିଆଯାଉଛି। ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକରେ ଏକ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ନଥିବା ବେଳେ, ଏପରି ପ୍ରକଳ୍ପର ବିଲ ପାଇଁ ଚାପ ପକାଯାଉଛି। ୫-ଟି ନାଁରେ ଯେଉଁ ପ୍ରକଳ୍ପ ଅବାଞ୍ଛନୀୟ ଭାବେ ଦିଆଯାଉଛି, ସେନେଇ ଆଜି ଶାସକ ସଭ୍ୟ ସ୍ୱର ଉତ୍ତୋଳନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ।

Leave A Reply

Your email address will not be published.