୨୭ ହଜାର ମେଡିକାଲରେ ମିଳିବ ମାଗଣା ସ୍ବାସ୍ଥ୍ୟ ସେବା, ଗୃହରେ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ସ୍ବାସ୍ଥ୍ୟକ୍ଷେତ୍ରର ଉନ୍ନତି ଓଡ଼ିଶା ପାଇଁ ଆଣିବ ପ୍ରଗତି। ଏହି ନାରାରେ ଆଗଉଛନ୍ତି ଓଡ଼ିଶା ସରକାର। ବିଜେପି ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିବା ପରେ ରାଜ୍ୟର ସ୍ବାସ୍ଥ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏନେଇ ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
ବିଧାନସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମିଳିତ ଭାବେ ଓଡ଼ିଶାବାସୀଙ୍କୁ ମାଗଣା ସ୍ବାସ୍ଥ୍ୟସେବା ମିଳିବ। ଦେଶର ୨୭ ହଜାର ମେଡିକାଲରେ ଏହି ଦୁଇ ଯୋଜନାର ହିତାଧିକାରୀ ଚିକିତ୍ସା ସୁବିଧା ପାଇବେ। ପୂର୍ବରୁ ବିଏସ୍କେୱାଇ ଯୋଜନାରେ ରାଜ୍ୟ ଭିତରେ ଓ ବାହାରେ କେବଳ ୯୦୦ ହସ୍ପିଟାଲରେ ଏହି ସୁବିଧା ମିଳୁଥିଲା। କିନ୍ତୁ ଏବେ ଦେଶର ଯେକୌଣସି ରାଜ୍ୟରେ, ଯେକୌଣସି ସ୍ଥାନରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୦୫୬କୋଟି ଟଙ୍କାର ବଜେଟ୍ ଥିବାବେଳେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୫୦୦କୋଟିର ବ୍ୟୟବରାଦ ଅଛି। ଏହି ଦୁଇଟି ଯୋଜନା ମିଳିତ ଭାବେ ଲାଗୁ ହେଲେ କେନ୍ଦ୍ର ସରକାର ୬୦%, ରାଜ୍ୟ ସରକାର ୪୦% ଅର୍ଥ ଦେବେ। ଫଳରେ ରାଜ୍ୟ ସରକାରଙ୍କର ବାର୍ଷିକ ୬୦୦କୋଟି ଟଙ୍କା ବଞ୍ଚିବ।
ଗୃହରେ ସେ ଆହୁରି କହିଛନ୍ତି, ଏବେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବାକୁ ହାରାହାରି ୩୦ମିନିଟ ସମୟ ନେଉଥିବାବେଳେ ଆମେ ଏହାକୁ ୨୦ମିନିଟ୍କୁ କମାଇବୁ। ଏଥିପାଇଁ ବଜେଟ୍ରେ ୩୫୦କୋଟି ବ୍ୟୟବରାଦ ହୋଇଛି। ରାଜ୍ୟର ୬ଟି ସ୍ଥାନରେ ସ୍ତନ୍ୟପାନ ପରିଚାଳନା କେନ୍ଦ୍ର ଖୋଲି ୬ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ମା’ କ୍ଷୀର ଦେବା ବ୍ୟବସ୍ଥା କରାଯିବ।
ସେହିପରି ସମ୍ବଲପୁରରେ ଦ୍ବିତୀୟ ଏମ୍ସ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରାଯିବ। ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବା ସହିତ ସବୁ ମେଡିକାଲ କଲେଜ ପାଇଁ ସମାନ ପାଠ୍ୟକ୍ରମ କରାଯିବ। ୨୦୨୫ ସୁଦ୍ଧା ରାଜ୍ୟରେ ଯକ୍ଷ୍ମା ରୋଗକୁ ନିୟନ୍ତ୍ରଣ କରାଯିବ। ମନ୍ତ୍ରୀ କହିଛନ୍ତି ଯେ ସ୍ବାସ୍ଥ୍ୟ ବିଭାଗ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ୩୨ଟି ପ୍ରସ୍ତାବ ଦେଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ଆମେ ପଦକ୍ଷେପ ନେବୁ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ଖୁବଶୀଘ୍ର ସ୍ବାସ୍ଥ୍ୟ କ୍ଷେତ୍ରରେ ଖାଲି ପଡ଼ିଥିବା ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବୁ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି।