Odisha Link
Bridging the Missing Links in Odisha

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଭାରତର ଦମଦାର ପ୍ରଦର୍ଶନ, ଦିନକରେ ୮ଟି ପଦକ ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ପାରାଲିମ୍ପିକ୍ସରେ କମାଲ କରୁଛନ୍ତି ଭାରତୀୟ ଖେଳାଳି। ଗୋଟିଏ ଦିନରେ ଭାରତକୁ ମିଳିଲା ୨ଟି ସ୍ବର୍ଣ୍ଣ ସହିତ ୮ଟି ପଦକ। ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ୍ ମିଳିଛି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ମେଡାଲ୍ ସଂଖ୍ୟା ୧୫ରେ ପହଞ୍ଚିଛି।

ଯୋଗେଶ କାଠୁନିଆ ରୌପ୍ୟ ପଦକ ଜିତି ପଞ୍ଚମ ଦିନରେ ପଦକ ହାତେଇବା ଶୁଭାରମ୍ଭ କରିଥିବା ବେଳେ ବ୍ରୋଞ୍ଜ ଜିତି ଦିନର ଶେଷ କରିଥିଲେ ନିତ୍ୟା ଶ୍ରୀ। ଭାରତ ପକ୍ଷରୁ ପଞ୍ଚମ ଦିନରେ ସୁମିତ ଅନ୍ତିଲ ଓ ନିତେଶ କୁମାର ଗୋଲ୍ଡ ଜିତିଛନ୍ତି। ପାରାଲିମ୍ପିକ୍ସରେ ସୁମିତ ଜାଭେଲିନ୍ ଥ୍ରୋରେ ରେକର୍ଡ ୭୦.୫୯ ମିଟର ଫିଙ୍ଗି ହାତେଇଛନ୍ତି ସ୍ୱର୍ଣ୍ଣ ପଦକ। ସେହିପରି ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଏସ୍‌ଏଲ୍‌-୩ କ୍ୟାଟେଗୋରୀରେ ସ୍ୱର୍ଣ୍ଣ ଜିତିଛନ୍ତି ନିତେଶ କୁମାର।

ପଞ୍ଚମ ଦିନରେ ଡିସକସ୍ ଥ୍ରୋ ଏଫ-୫୬ ଇଭେଣ୍ଟରେ ଭାରତର ଯୋଗେଶ କାଠୁନିଆ ରୌପ୍ୟ ପଦକ ଜିତିଛନ୍ତି। ୨୯ ବର୍ଷୀୟ ଯୋଗେଶ ୪୨.୨୨ ମିଟର ଫୋପାଡି ଭାରତ ପାଇଁ ପଦକ ଜିତିଛନ୍ତି। ସେହିପରି ତୀରନ୍ଦାଜୀ ମିକ୍ସଡ ଇଭେଣ୍ଟରେ ରାକେଶ ଓ ଶୀତଲଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ପୁରୁଷ ଏସ୍‌ଏଲ୍-୪ କ୍ୟାଟେଗୋରୀରେ ଭାରତର ସୁହାସ ୟଥିରାଜ୍ ଜିତିଛନ୍ତି ରୌପ୍ୟ ପଦକ। ୨୦୨୧ରେ ବି ସେ ରୌପ୍ୟ ପଦକ ଜିତିଥିଲେ। ମହିଳା ସିଙ୍ଗଲ୍ସ ଏସ୍‌ୟୁ-୫ ବର୍ଗରେ ମହିଳା ସଟଲର୍ ଟି.ମୁରୁଗେସନ୍ ରୌପ୍ୟ ଜିତିଥିବା ବେଳେ ମନୀଷା ରାମାଦାସଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

ଆଉ ପଞ୍ଚମ ଦିନର ଶେଷରେ ମହିଳା ସଟଲର ନିତ୍ୟାଶ୍ରୀ ବ୍ରୋଞ୍ଜ ହାତେଇଛନ୍ତି। ନିତ୍ୟା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଏସ୍‌ଏଚ୍‌-୬ ବର୍ଗରେ ପ୍ରତିଯୋଗିତା କରୁଥିଲେ। ଆଜି ମଧ୍ୟ ଭାରତୀୟ ଆଥଲେଟ୍‌ମାନେ ପଦକ ସଂଖ୍ୟା ଆହୁରି ବଢ଼ାଇବା ଆଶା କରାଯାଉଛି।

Leave A Reply

Your email address will not be published.