ଆଜି ସପ୍ତପୁରୀ ଅମାବାସ୍ୟା, ଶ୍ରୀମନ୍ଦିରରେ ମହକିବ ସାତପୁରୀ ଭୋଗ
ଓଏଲ୍ ବ୍ୟୁରୋ: ଆଜି ମଙ୍ଗଳବାର ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ନୀତି ଅନୁଷ୍ଠିତ ହେବ। ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଇଥିବା ବେକେ ଆଜିର ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଭଗବାନ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ। ଏହି ଭୋଗକୁ ମା ଦକ୍ଷିଣ କାଳୀ ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିଥନୀ ବୋଲି ବିଶ୍ୱାସ କରାଯାଏ। ଶ୍ରୀଜୀଉଙ୍କ ଅବକାଶ ନିତି ସରିବା ପରେ ଠାକୁରଙ୍କୁ ବେଶ କରାଯାଇ ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପରେ ସାତପୁରୀ ଭୋଗ ରୋଷ ଘରୁ ଆସିବା ପରେ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରିଥାନ୍ତି।
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବିଶେଷ ପୂଜାନୀତି ସହ ଆଜି ସଂଧ୍ୟାଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ।ତେବେ ଗତକାଲି ଠାରୁ କୁମ୍ଭାରପଡା ନିକଟରେ ଅବସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ଚାରି ଗୋଟି ମାଟିର ତାଡ଼ ଶ୍ରୀମନ୍ଦିରରେ ପହଂଚିବା ପରେ ଚତୁର୍ପାଶ୍ୱ ବୁଲି ତାଡ ଗୁଡିକୁ ରୋଷ ବେହେରଣ ଠାରେ ରଖାଯାଇଥିଲା। ସେହିପରି ପରମ୍ପରା ଅନୁସାରେ ଗତକାଲି ସଂଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇଥିଲେ। ଏହା ସହ ସୋମବାର ସାତପୁରୀ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିଛି। ଦ୍ୱିପ୍ରହର ଧୂପ ବଢ଼ିଲା ପରେ କୁମ୍ଭାର ବିଶୋଇ ସେବକମାନେ ବାଘମୁହାଁ ବାନ୍ଧି ଆଲାମଚଣ୍ଡୀ ଠାକୁରାଣୀଙ୍କ ପୀଠରୁ ୪ଟି ସାତପୁରୀ ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଇଥିଲେ।