‘ସୁଭଦ୍ରା’ ଆବେଦନ ପାଇଁ ପ୍ରବଳ ଭିଡ଼, ଆଧାର ଅପଡେଟ୍ ନେଇ ଜରୁରୀ ସୂଚନା ଜାରି
ଓଏଲ୍ ବ୍ୟୁରୋ: ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନା ପାଇଁ ଆବେଦନ ପତ୍ର ସମ୍ପୂର୍ଣ୍ଣ ମାଗଣା ଏବଂ ଦେୟ ମୁକ୍ତ କରାଯାଇଛି। ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ସହିତ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟ କରୁଥିବା ସହାୟିକା, ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ, ଏମବିକେ ଓ କମ୍ୟୁନିଟି ରିସୋର୍ସ ପର୍ସନ ମଧ୍ୟ ଏହି ଯୋଜନାରେ ସହାୟତା ପାଇଁ ଆବେଦନ କରିପାରିବେ। ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଜନସେବା କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳିଛି। ତେବେ ଏନେଇ ଜନସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ମଦନ ମୋହନ ରାଉତ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ‘ସୁଭଦ୍ରା’ ଯୋଜନାରେ ଆବେଦନ ପାଇଁ ୪ଟି ମୋଡ୍ରେ ହେଉଛି ଆଧାର ଅଥେଣ୍ଟିକେସନ। ମୋବାଇଲ, ବାୟୋମେଟ୍ରିକ, ଫେସ୍, ଆଇରିସ ଜରିଆରେ ଅଥେଣ୍ଟିକେସନ। କୌଣସିଟିରେ ବି ଅଥେଣ୍ଟିକେସନ ହେଲେ ଆଧାର ଅପଡେଟ୍ ଜରୁରୀ ନାହିଁ। ଜନସେବା କେନ୍ଦ୍ର ଆଧାର ଅପଡେଟ୍ ପାଇଁ ଅଧିକ ଟଙ୍କା ମାଗୁଥିଲେ ଜଣାନ୍ତୁ। ନିର୍ଦ୍ଧାରିତ ଠାରୁ ଅଧିକ ଟଙ୍କା ମାଗୁଥିଲେ ୧୪୬୭୮ ନମ୍ବରରେ ଜଣାନ୍ତୁ ବୋଲି ସେ କହିଛନ୍ତି।
ଅନ୍ୟପଟେ, ସୁଭଦ୍ରା ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୧୪୬୭୮ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ମହିଳା ମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ମଜବୁତ୍ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଓଡିଶାର ଏକ କୋଟିରୁ ଅଧିକ ମହିଳା ଉପକୃତ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।