ବିଧାନସଭାରେ ପାରିତ ହେଲା ‘ଅପରାଜିତା ବିଲ୍’, କ’ଣ ରହିଛି ଖାସ୍ କଥା ଜାଣନ୍ତୁ
ଓଏଲ୍ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭାର ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ବିଧାନସଭାରେ ଆଜି ଅପରାଜିତା ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ତାପୂର୍ବରୁ ବିଧାନସଭାରେ ହଙ୍ଗାମା ହୋଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଟିଏ ପଟେ ଏହି ବିଲ୍କୁ ଐତିହାସିକ କହିଥିବା ବେଳେ ବିଜେପି ଏହି ବିଲ୍ରେ ସଂଶୋଧନ କରିବାକୁ ଦାବି କରିଛି। ଅନ୍ୟପଟେ ମମତା ବାନାର୍ଜୀ କହିଛନ୍ତି ଏହି ବିଲ୍ ଉପରେ ଏବେ ରାଜ୍ୟପାଳ ଯେତେ ଶୀଘ୍ର ଦସ୍ତଖତ କରିବେ ଆମ ସରକାର ତାକୁ କାର୍ଯ୍ୟକାରୀ କରିବୁ।
ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍ ପାରିତ କରିଛନ୍ତି। ଏହାସହ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି। ଏହି ବିଲ୍ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଐତିହାସିକ ଏବଂ ମଡେଲ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ବିଲ୍ ସରକାରୀ ଚାଳିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସ୍ୱରୂପ।
ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ରାଜ୍ୟ ସରକାର ଅପରାଜିତା ବିଲ୍ ଆଣିଛନ୍ତି। ଯାହାକୁ ଆମେ ସ୍ବାଗତ କରୁଛୁ। ଆଉ ସମ୍ପୂର୍ଣ୍ଣ ସମର୍ଥନ ମଧ୍ୟ ଜଣାଉଛି। ଆମେ ମଧ୍ୟ ଚାହୁଁଛୁ ଯେ ଏହି ବିଲ୍ ରାଜ୍ୟରେ ଖୁବଶୀଘ୍ର ଲାଗୁ ହେଉ। ହେଲେ ମମତା ସରକାର ଯେଉଁ ବିଲ୍ ଆଣିଛନ୍ତି ତାର କାର୍ଯ୍ୟକାରିତା କ’ଣ ହେବ ତାହା ସ୍ପଷ୍ଟ କରି ନାହାନ୍ତି।