ପୁରୀରେ ବଢୁଛି ବାର୍ଡ ଫ୍ଲୁ ଆତଙ୍କ, ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଦଳ
ଓଏଲ୍ ବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଛି। ରାଜ୍ୟର ପୁରୀ ଜିଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ୪ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ କରାଯାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶିତ କାର୍ଯ୍ୟ ଯୋଜନା ଅନୁଯାୟୀ ଏହି ରୋଗର ନିୟନ୍ତ୍ରଣ ଓ ନିରାକରଣ କାର୍ଯ୍ୟକ୍ରମ ଚାଲୁରହିଛି। ପୁରୀ ଜିଲ୍ଲାରେ ଆଜି କେନ୍ଦ୍ରୀୟ ପ୍ରତିନିଧି ଦଳ ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଛନ୍ତି। ଏହି ଦଳ ପିପିଲିର ଆବଲପୁର,ସତ୍ୟବାଦୀ,ନିମାପଡ଼ା ଓ ଡେଲାଙ୍ଗ ତଥା ମୋଟରି ଅଞ୍ଚଳ ପରିଦର୍ଶନ କରିବେ। ତେବେ ଦଳ ପ୍ରଥମେ ନିମାପଡାର ବୁଢ଼ାକେରା ଅଂଚଳରେ ପହଁଚିଥିବା ବେଳେ ସମୀକ୍ଷା କରିଥିବା ପରିଲକ୍ଷିତ ହୋଇଅଛି। କ୍ଷତିଗ୍ରସ୍ତ ଚାଷୀ ଙ୍କ ସମେତ ପଶୁ ଚିକିତ୍ସା ଓ ପଶୁ ପାଳନ ଅଧିକାରୀଙ୍କ ସହିତ ଏହି ଦଳ ଆଲୋଚନା କରିଛନ୍ତି।
ସୂଚନା ଅନୁସାରେ, ବାର୍ଡ ଫ୍ଲୁ ହେତୁ ପୁରୀ ଜିଲ୍ଲାରେ ପ୍ରଭାବିତ ଚାରି ଗୋଟି ବ୍ଲକ ଅଂଚଳରେ ପ୍ରାୟ ୪୯ହଜାର କୁକୁଡ଼ା ମରା ଯାଇଥିବା ବେଳେ ଏହାକୁ ପୋତା ଯାଇଅଛି। ସେହିପରି ଏହା ଯେପରି ଲୋକଙ୍କୁ ନ ବ୍ୟାପେ ସେ ନେଇ କାର୍ଯ୍ୟଅନୁଷ୍ଠାନ ମଧ୍ୟ କରାଯାଉଥିବା ଜଣାପଡିଅଛି। ନମୁନା ସଂଗ୍ରହ ତଥା ରୋଗର ଅନୁସନ୍ଧାନ ପ୍ରକ୍ରିୟାକୁ ତ୍ୱରାନ୍ବିିତ କରିବା ସହିତ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଜନସାଧାରଣ ଯେପରି ଭୟଭୀତ ନ ହେବେ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ସଚେତନ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।