Odisha Link
Bridging the Missing Links in Odisha

ଜୈବିକ କୃଷିକୁ ମିଳିବ ଗୁରୁତ୍ୱ, ସୁଭଦ୍ରା ପରେ ମିଶନ ବଳଭଦ୍ର

ଓଏଲ୍‌ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ତ୍ରୟୋଦଶ ଦିବସ। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ କୃଷି ବିଭାଗର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଯେପରି ଅଧିକରୁ ଅଧିକ ପରିମାଣରେ ଜୈବିକ କୃଷି ହୋଇପାରିବ, ସେନେଇ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏହିକ୍ରମରେ ରାଜ୍ୟ ସରକାର ରାଜ୍ୟରେ ଖୁବଶୀଘ୍ର ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ। କେବଳ ଚାଷୀ ନୁହେଁ, ଯେଉଁ ବେସରକାରୀ ସଂସ୍ଥା ଏହି ଚାଷ ସହ ସମୃକ୍ତ, ସେମାନଙ୍କୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ଆଜି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ୨୦୧୮ ମସିହାରେ ଜୈବିକ କୃଷି ନୀତି ଆସିଥିଲା। ସେତେବେଳେ ପ୍ରାରମ୍ଭିକ ଭାବେ ୮ ଜିଲ୍ଲାକୁ ସାମିଲ କରାଯାଇଥିବା ବେଳେ ୨୦୨୪-୨୫ ସୁଦ୍ଧା ମୋଟ ୨୫ ଜିଲ୍ଲାରେ ୫୯୭୨୦ ହେକ୍ଟରରେ ଏହି କୃଷିକାର୍ଯ୍ୟ କରାଯାଉଛି ଚଳିତ ବର୍ଷ ସବୁ ଜିଲ୍ଲାରେ ଜୈବିକ କୃଷି କାର୍ଯ୍ୟ ଆରମ୍ଭ କରାଯିବ। ମନ୍ତ୍ରୀ ଆହୁରି ମଧ୍ୟାଙ୍କହିଛନ୍ତି ଯେ ରାଜ୍ୟରେ ଏବେ ଜମିର ମାନ (ସଏଲ ଟେଷ୍ଟିଂ) କରାଯାଉଛି। କେଉଁ ଜମିରେ କେଉଁ ପ୍ରକାର ଚାଷ କରାଯାଇପାରିବ, ସେନେଇ ଜଣାପଡିବା ପରେ ତଦନୁଯାୟୀ ପଦକ୍ଷେପ ନିଆଯିବ। ଜୈବିକ ଚାଷ କରୁଥିବା ଚାଷୀଙ୍କୁ ମାର୍କେଟ ଲିଙ୍କେଜ ପ୍ରଦାନ କରିବାକୁ ସରକାର ପଦକ୍ଷେପ ନେବେ। ଜୈବିକ ଚାଷରୁ ଉତ୍ପନ୍ନ ଶସ୍ୟକୁ ଟ୍ୟାଗିଂ କରାଯାଇ ଏହାକୁ ବାହାରକୁ ରପ୍ତାନି ପାଇଁ ସରକାର ପଦକ୍ଷେପ ନେଉଛନ୍ତି। କିଛିଦିନ ତଳେ ଢେଙ୍କାନାଳର ଆମ୍ବ ଏବଂ ବଲାଙ୍ଗିରର ପୋଟଳ ଦୁବାଇକୁ ରପ୍ତାନି କରାଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.