ଘରେ ରହି ଅନଲାଇନରେ କରି ପାରିବେନି ‘ସୁଭଦ୍ରା’ ଯୋଜନା ଆବେଦନ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଏବେ ଗୋଟିଏ ଚର୍ଚ୍ଚା ସୁଭଦ୍ରା ଯୋଜନା। କାହାକୁ ମିଳିବ କାହାକୁ ମିଳିବନି ସରକାର ସ୍ପଷ୍ଟ କରିବା ପରେ ମଧ୍ୟ ଲାଗି ରହିଛି ଅନେକ ଦ୍ବନ୍ଦ୍ବ। ଏସବୁ ମଧ୍ୟରେ ଦ୍ବନ୍ଦ୍ବ ଦୂର କରିଛନ୍ତି ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ମୁଖ୍ୟ ଦିଲ୍ଲୀପ ଦାଶ।
ସୁଭଦ୍ରା ଯୋଜନା ଫର୍ମ ଦାଖଲକୁ ନେଇ ଲୋକଙ୍କ ମନରେ ଥିବା ଦ୍ବଦ୍ବ ଦୂର କରିବାକୁ ଯାଇ ଶ୍ରୀ ଦାଶ କହିଛନ୍ତି, ନିଜେ ଘରେ ରହି ଅନଲାଇନରେ କରି ପାରିବେନି ସୁଭଦ୍ରା ଯୋଜନା ଆବେଦନ। କେବଳ ଜନସେବା କେନ୍ଦ୍ର ମାଧ୍ୟମରେ ହିଁ ହୋଇପାରିବ ଆବେଦନ। ଆଜି ସନ୍ଧ୍ୟାରୁ ଖୋଲିବ ସୁଭଦ୍ରା ପୋର୍ଟାଲ। ତେଣୁ ଏବେଠୁ ଜନସେବା କେନ୍ଦ୍ରରେ ଭିଡ଼ ଲଗାନ୍ତୁନି।
ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ। ତେଣୁ ଶେଷ ଆବେଦନକାରୀ ଥିବା ଯାଏଁ ଜାରି ରହିବ ଫର୍ମ ଗ୍ରହଣ। ରାଜ୍ୟ ସରକାର ଅଙ୍ଗନବାଡି କର୍ମୀଙ୍କ ଜରିଆରେ ଆବେଦନକାରୀଙ୍କ ପାଖରେ ଉପଲବ୍ଧ କରାଇଛନ୍ତି ସୁଭଦ୍ରା ଫର୍ମ। କିଛି ଜନସେବା କେନ୍ଦ୍ରରେ ମଧ୍ୟ ଫର୍ମ ଉପଲବ୍ଧ ହେଉଛି। ସେମାନଙ୍କ ଠାରୁ ଫର୍ମ ନେଇ ତାକୁ ପୂରଣ କରି ଜନସେବା କେନ୍ଦ୍ରରେ ଦାଖଲ କରିବେ। ଏଥିପାଇଁ ସାଥିରେ କେବଳ ଆଧାର କାର୍ଡ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଅନେକ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ କରାଯାଇ ସୁଭଦ୍ରା ଯୋଜନା ଫର୍ମ ଗ୍ରହଣ ବ୍ୟବସ୍ଥା କରାଯାଉଛି ବୋଲି ଦିଲ୍ଲୀପ ଦାଶ କହିଛନ୍ତି ।