ତାଳଗଛ ରୋପଣ ପାଇଁ ୭ କୋଟି, ବିଧାୟକଙ୍କ ସାହାଯ୍ୟ ଲୋଡ଼ିଲେ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ଆଜି ଚଉଦ ଦିନରେ ପହଂଚିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି।
ସେ କହିଛନ୍ତି, ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ ରହିଛି। ଗତ ୫ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଛି। ୟୁପି ବଡ଼ ରାଜ୍ୟ ହୋଇ ବି ୫ ବର୍ଷରେ ଯାଇଛି ୫୪୨ ଜୀବନ। ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅଧିକ ରହିଛି। ୫ ବର୍ଷରେ ଝାରସୁଗୁଡ଼ାରେ ସର୍ବାଧିକ ୭୨ ଓ ବଲାଙ୍ଗିରରେ ୫୫ ମୃତ। ଗବେଷଣା କହୁଛି ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ହେଉଛି।
ଖଣିଜ ପଦାର୍ଥ ହେଉଛି ବିଦ୍ୟୁତ୍ର ସୁପରିବାହୀ (ଗୁଡ୍ କଣ୍ଡକ୍ଟର)। ନିର୍ଦ୍ଦିଷ୍ଟ କେଉଁଠି ବଜ୍ରପାତ ହେବ ଆକଳନ ପାଇଁ ଜ୍ଞାନକୌଶଳ ଆସି ନାହିଁ। ତାଳ ଗଛ ଲଗାଇବାକୁ ୭ କୋଟି ଟଙ୍କା ବନ ବିଭାଗକୁ ଦିଆଯାଇଛି। ତାଳଗଛ ଲଗାଇବାକୁ ସବୁ ବିଧାୟକ ସଚେତନତା ସହ ସହଯୋଗ କରନ୍ତୁ। ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।