‘ସୁଭଦ୍ରା’ ପାଇଁ ସବୁଠି ଭିଡ଼, ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ
ଓଏଲ୍ ବ୍ୟୁରୋ: ସୁଭଦ୍ରା ଯୋଜନା ପାଇଁ ସାରା ରାଜ୍ୟରେ ଚର୍ଚ୍ଚା ବଢୁଥିବାବେଳେ ଆବେଦନ ପାଇଁ ଭିଡ଼ ଜମିବାରେ ଲାଗିଛି। ରାଜ୍ୟ ସରକାର ମହିଳାମାନଙ୍କ ନିମନ୍ତେ ଆରମ୍ଭ କରିଛନ୍ତି ‘ସୁଭଦ୍ରା’ ଯୋଜନା ଏବଂ ସମସ୍ତ ରାସନ୍କାର୍ଡଧାରୀଙ୍କ ନିମନ୍ତେ ମଧ୍ୟ ବାୟୋମେଟ୍ରିକ୍ସ ଓ ମୋବାଇଲ୍ ନମ୍ବର ଲିଙ୍କ୍ କରାଯାଉଛି। ‘ସୁଭଦ୍ରା’ ଯୋଜନା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ। ଅଧିକାଂଶ ଜନସାଧାରଣଙ୍କ ଆଧାର ସହିତ ମୋବାଇଲ୍ ଲିଂଙ୍କ୍, ବାୟୋମେଟ୍ରିକ୍ସ, ନାମ, ଠିକଣା ପ୍ରଭୃତି ଭୁଲ ରହିଛି। ଭିଡ଼ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ହୋଇଛନ୍ତି।
ଅନ୍ୟପଟେ, ସୁଭଦ୍ରା ଯୋଜନା କାହାକୁ ମିଳିବ କାହାକୁ ମିଳିବନି ସରକାର ସ୍ପଷ୍ଟ କରିବା ପରେ ମଧ୍ୟ ଲାଗି ରହିଛି ଅନେକ ଦ୍ବନ୍ଦ୍ବ। ଏସବୁ ମଧ୍ୟରେ ଦ୍ବନ୍ଦ୍ବ ଦୂର କରିଛନ୍ତି ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ମୁଖ୍ୟ ଦିଲ୍ଲୀପ ଦାଶ। ସୁଭଦ୍ରା ଯୋଜନା ଫର୍ମ ଦାଖଲକୁ ନେଇ ଲୋକଙ୍କ ମନରେ ଥିବା ଦ୍ବଦ୍ବ ଦୂର କରିବାକୁ ଯାଇ ଶ୍ରୀ ଦାଶ କହିଛନ୍ତି, ନିଜେ ଘରେ ରହି ଅନଲାଇନରେ କରି ପାରିବେନି ସୁଭଦ୍ରା ଯୋଜନା ଆବେଦନ। କେବଳ ଜନସେବା କେନ୍ଦ୍ର ମାଧ୍ୟମରେ ହିଁ ହୋଇପାରିବ ଆବେଦନ।
ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ। ତେଣୁ ଏବେଠୁ ଜନସେବା କେନ୍ଦ୍ରରେ ଭିଡ଼ ଲଗାନ୍ତୁନି। ଶେଷ ଆବେଦନକାରୀ ଥିବା ଯାଏଁ ଜାରି ରହିବ ଫର୍ମ ଗ୍ରହଣ। ରାଜ୍ୟ ସରକାର ଅଙ୍ଗନବାଡି କର୍ମୀଙ୍କ ଜରିଆରେ ଆବେଦନକାରୀଙ୍କ ପାଖରେ ଉପଲବ୍ଧ କରାଇଛନ୍ତି ସୁଭଦ୍ରା ଫର୍ମ। କିଛି ଜନସେବା କେନ୍ଦ୍ରରେ ମଧ୍ୟ ଫର୍ମ ଉପଲବ୍ଧ ହେଉଛି। ସେମାନଙ୍କ ଠାରୁ ଫର୍ମ ନେଇ ତାକୁ ପୂରଣ କରି ଜନସେବା କେନ୍ଦ୍ରରେ ଦାଖଲ କରିବେ। ଏଥିପାଇଁ ସାଥିରେ କେବଳ ଆଧାର କାର୍ଡ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି।