ରେଭେନ୍ସା ଗଣ୍ଡଗୋଳ: ୩ ବିଜେଡି ନେତାଙ୍କ ନାମରେ ମାମଲା, ସୁରକ୍ଷା ମାଗିଲେ ବିଜେଡି ବିଧାୟକ
ଓଏଲ୍ ବ୍ୟୁରୋ: ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ରାଜ୍ୟ ରାଜନୀତି ସରଗରମ। ଏପରିକି ବିଧାନସଭାରେ ଉଠିଛି ରେଭେନ୍ସା ଝଡ଼। ଗୃହରେ ବିଜେଡିରେ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ପୋଡିୟମ୍ ତଳେ ବିଜେଡିର ବିଧାୟକ ନାରାବାଜି କରିଛନ୍ତି। ଏସବୁ ମଧ୍ୟରେ ସୁରକ୍ଷା ମାଗିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ତାଙ୍କ ନାଁରେ ମାମଲା ହୋଇଥିବା ବେଳେ ସେ କହିଛନ୍ତି ଯେ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ର ଓ ପୁରାତନ ଛାତ୍ରମାନେ ମୋତେ ଡାକିଥିଲେ। ସେଥିପାଇଁ ଯାଇଥିଲି। କୌଣସି ଗଣ୍ଡଗୋଳ ହୋଇନାହିଁ। ମୋ ନାମରେ ମିଛ ଅଭିଯୋଗ କରାଯାଇଛି ବୋଲି ଶ୍ରୀ ରାୟ କହିଛନ୍ତି।
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମଶାଲ ଶୋଭାଯାତ୍ରା ବେଳେ ଦୁଇଗୋଷ୍ଠୀ ମାଡ଼ଗୋଳ ଘଟଣାରେ ଚାନ୍ଦବାଲି ବିଧାୟକ ତଥା ବିଜେଡି ନେତା ବ୍ୟୋମକେଶ ରାୟଙ୍କ ନାମରେ ମାମଲା ରୁଜୁ ହୋଇଛି। ବ୍ୟୋମକେଶଙ୍କ ସହ ବିଜେଡି ନେତା ଲେନିନ ମହାନ୍ତି ଓ ଛାତ୍ର ବିଜେଡି ନେତା ବବି ଖାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ମାଲଗୋଦାମ ଥାନା ପୁଲିସ।
ରେଭେନ୍ସା ଛାତ୍ରଙ୍କୁ ମଶାଲ ଶୋଭାଯାତ୍ରା ବେଳେ ମାଡ଼ ମାରିବା, ଧମକଚମକ ଦେବା ସହ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ମାଲଗୋଦାମ ଥାନା ପୁଲିସ ଘଟଣାର ତଦନ୍ତ କରି ୩ ଜଣ ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାଯାଇଛି।
ସୂଚନାଥାଉକି, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନାମ ପରିବର୍ତ୍ତନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ବୁଧବାର ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ ବିଭିନ୍ନ ଛାତ୍ର ସଂଗଠନ ସହ ବିଜେଡି ନେତା ବ୍ୟୋମକେଶ ରାୟ, ବିଜେଡି ନେତା ଲେନିନ ମହାନ୍ତି, ଛାତ୍ର ବିଜେଡି ନେତା ବବି ଖାନ୍ ଓ ବିଜୁ ଜନତା ଦଳର କିଛି ନେତା,କର୍ମୀ ସାମିଲ ଥିଲେ।