ଥମୁନି ରେଭେନ୍ସା ଝଡ଼, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ଓଏଲ୍ ବ୍ୟୁରୋ: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆଜି ପନ୍ଦର ଦିନରେ ପହଂଚିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଚାଲିଥିଲା। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ଗୃହରେ ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ନାରାବାଜି କରିଥିଲେ। ଏହା ପରେ ଗୃହ କାର୍ଯ୍ୟ ୧୨.୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବିଧାୟକ ବ୍ୟୋମକେଶ ରାୟଙ୍କ ନାମରେ ହୋଇଥିବା ମକଦ୍ଦମା ପ୍ରତ୍ୟାହାର ଦାବିରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲା ବିଜେଡି। ଶୂନ୍ୟକାଳରେ ଉପରୋକ୍ତ ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ମାନେ ଗୃହରେ ପ୍ରବଳ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୨ଟା ୩୪ରୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି।
ଶୂନ୍ୟକାଳରେ ଉପରୋକ୍ତ ପ୍ରସଙ୍ଗ ଉଠାଇ ବିଧାୟକ ଶ୍ରୀ ରାୟ କହିଥିଲେ ଯେ, ରେଭେନ୍ସା ବିଶ୍ଵ ବିଦ୍ୟାଳୟ ନାମ ପରିବର୍ତ୍ତନ ବିରୋଧରେ ଆୟୋଜିତ ଏକ ମଶାଲ ଶୋଭାଯାତ୍ରାରେ ସେ ଯୋଗ ଦେଇଥିଲେ। ମାତ୍ର ତାଙ୍କ ନାମରେ ମିଛ ମକଦ୍ଦମା କରାଯାଇ ଆର୍ମସ ଆକ୍ଟ ଲଗାଯାଇଛି। ବାଚସ୍ପତି ମୋତେ ସୁରକ୍ଷା ଦିଅନ୍ତୁ ବୋଲି ସେ କହିଥିଲେ। ଦଳର ଅନ୍ୟତମ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଏହାପରେ ଦଳୀୟ ବିଧାୟକ ଗୃହର ମଧ୍ୟଭାଗକୁ ଆସି ମକଦ୍ଦମା ପ୍ରତ୍ୟାହାର ଦାବିରେ ପ୍ରବଳ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ୧୧ଟା ୫୮ ରୁ ୧୨ ଟା ୩୦ ଯାଏଁ ମୁଲତବୀ ରଖିଥିଲେ। ୧୨ ଟା ୩୦ରେ ଗୃହକାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ଗୃହରେ ସମାନ ପରିସ୍ଥିତି ଲାଗି ରହିଥିଲା। ବିଜେଡି ସହ କଂଗ୍ରେସ ବିଧାୟକ ମଧ୍ୟ ହଟ୍ଟଗୋଳରେ ସାମିଲ ହୋଇଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି।