Odisha Link
Bridging the Missing Links in Odisha

ରାଜ୍ୟ ରାଜନୀତିରେ ‘ସେମିକଣ୍ଡକ୍ଟର’ ତାତି, ବିଜେଡି-ବିଜେପି ଟଣାଓଟରା

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜନୀତିରେ ଶ୍ରେୟ ରାଜନୀତିକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ। ସେମିକଣ୍ଡକ୍ଟର ପ୍ରକଳ୍ପକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ମୁହାଁମୁହିଁ। ସେମିକଣ୍ଡକ୍ଟର ପ୍ରକଳ୍ପ ଓଡ଼ିଶା ଆସିବା ପଛରେ କାହାର ହାତ ଅଛି ? ପ୍ରକଳ୍ପ ଓଡ଼ିଶା ଆସିିବା ପରେ ଶ୍ରେୟ ପୁରୁଣା ନବୀନ ସରକାରଙ୍କ ନା ନୂଆ ମୋହନ ସରକାରଙ୍କର ତାକୁ ନେଇ ଏବେ ବିଜେଡି ବିଜେପି ଟଣା ଓଟରା ଚାଲିଛି। ସୋସିଆଲ ମିଡିଆରେ ଜଣଙ୍କର ପରେ ଜଣେ ବିଜେଡି ନେତା ସେମିକଣ୍ଡକ୍ଟର ପ୍ରକଳ୍ପ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ନେଇ ପୋଷ୍ଟ କରିବା ଆରମ୍ଭ କରିଥିଲେ। ବିଜେପି ସରକାରଙ୍କୁ ରିବନ କଟା ସରକାର କହି ଟାର୍ଗେଟ କରିଥିଲେ। ସେପଟେ ବିଜେପି ପୂର୍ବରୁ ଥିବା ବିଜେଡି ସରକାର ଗୋଛିକଟା ସରକାର କହି କଟାକ୍ଷ କରିଛି।

ଆଜି ସକାଳୁ ସକାଳୁ ସୋସିଆଲ ମିଡିଆରେ ଜଣଙ୍କର ପରେ ଜଣେ ବିଜେଡି ନେତା ସେମିକଣ୍ଡକ୍ଟର ପ୍ରକଳ୍ପ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଥିବା କହି ପୋଷ୍ଟ କରିଥିଲେ। ସାଂସଦ ସସ୍ମିତ ପାତ୍ର ସୋସିଆଲ ମିଡିଆ ଏକ୍ସରେ ଲେଖିଥିଲେ ନବୀନଙ୍କ ନେତୃତ୍ବରେ ସେମିକଣ୍ଡକ୍ଟର ସେକ୍ଟର ରାଜ୍ୟରେ ଆଗକୁ ବଢିଛି। ନୂଆ ସରକାର ରିବନ କଟିଂରେ ବ୍ୟସ୍ତ ରହି ଏ ଶ୍ରେୟ ନେବାକୁ ଚେଷ୍ଟା କରୁଛି। ସସ୍ମିତଙ୍କ ପରେ ପରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, ଭୃଗୃ ବକ୍ସିପାତ୍ର, ବିଧାୟକ ତୁଷାରକାନ୍ତି ବେହେରା, ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ପରି ଜଣଙ୍କ ପରେ ଜଣେ ବିଜେଡି ନେତା ସମାନ ଧରଣ ପୋଷ୍ଟ କରିଥିଲେ। ଏହାପରେ ପୁଣି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାରଙ୍କୁ ରିବନ କଟା ସରକାର କହି ଟାର୍ଗେଟ କରିଥିଲା।

ସେମିକଣ୍ଡକ୍ଟର ପ୍ରସଙ୍ଗକୁ ନେଇ ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ସେମିକଣ୍ଡକ୍ଟର ଡିମାଣ୍ଡକୁ ପୂରଣ କରିବା ପାଇଁ ନବୀନଙ୍କ ଉଦ୍ୟମ ସଫଳ ହୋଇଛି। ତାଙ୍କ ଉଦ୍ୟମକୁ ଓଡ଼ିଶାବାସୀ ଭୁଲି ନାହାନ୍ତି। ୧୨ ହଜାର କୋଟିର ବ୍ୟୟବରାଦଠୁ ଅଢେଇ ଲକ୍ଷ କୋଟିର ବ୍ୟୟବରାଦ ଏକ ଅଗ୍ନିପଥ ଥିଲା। ଓଡ଼ିଶାରେ ଯଦି ସେମିକଣ୍ଡକ୍ଟର ପାଇଁ ବାତାବରଣ ତିଆରି ହୋଇଛି ତାର ଶ୍ରେୟ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୋଲି କହିଛନ୍ତି ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର। ବିଜେଡି ସୁପ୍ରିମୋଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ହିଁ ଓଡ଼ିଶାକକୁ ବିଶ୍ବ ଦରବାରରେ ପରିଚିତ କରାଇଛି। ସେ ଓଡ଼ିଶାର ଆର୍ଥିକ ଶକ୍ତିର ବୃଦ୍ଧି ଦିଗରେ ନିରନ୍ତର କାମ କରିଥିଲେ। ଟ୍ରିଲିୟନ ଡଲାର ଇକୋନୋମିରେ ପହଞ୍ଚାଇବା ପାଇଁ ଇଲେକ୍ଟ୍ରୋ ନିକ୍ସ ଓ ଆଇଟି ହିଁ ସହଯୋଗୀ ହେବ ବୋଲି ନବୀନ ବୁଝିସାରିଥିଲେ।

ନୂଆ ଷ୍ଟାର୍ଟ ଅପକୁ ରାଜ୍ଯକୁ ଆଗକୁ ନେଇପାରିବ। ସେଥିପାଇଁ ଓ-ହବ ସୃଷ୍ଟି କରିଥିଲେ। ପିଲାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରର ପ୍ରତିଷ୍ଠା କରିଥିଲେ। ୨୪ ବର୍ଷର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଇନ୍ଫୋଭ୍ୟାଲି ୧ ଓ ୨ ପ୍ରତିଷ୍ଠା କରିଥିଲେ। ଯେଉଁଥିପାଇଁ ବଡ଼ ବଡ଼ କମ୍ପାନୀ ଡେଲଏଟ, କଗନିଜାଣ୍ଟ ଭଳି କମ୍ପାନୀ ଓଡ଼ିଶାରେ ପହଂଚିପାରିଲେ ବୋଲି କହିଛନ୍ତି ଶ୍ରୀ ମିଶ୍ର।

ବିଜେଡିର ଏଭଳି ଆକ୍ଷେପକୁ କଡ଼ା ସମାଲୋଚନା କରିଛି ଶାସକ ଦଳ ବିଜେପି। ପୂର୍ବରୁ ଥିବା ବିଜେଡି ସରକାର ଗୋଛିକଟା ସରକାର ବୋଲି କହି କଟାକ୍ଷ କରିଛି ବିଜେପି। ଓଡ଼ିଶାରେ ବିଜେପିର ବିଜୟକୁ ଓ ନିଜର ପରାଜୟକୁ ଗ୍ରହଣ କରିପାରୁ ନାହିଁ ବିଜେଡି। ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ବିଜେଡିର ନେତାମାନେ ଏଭଳି ନାଟକ କରୁଛନ୍ତି। ଯେଉଁମାନେ ଓଡ଼ିଶାବାସୀଙ୍କ ଗୋଛି କାଟିବା ପାଇଁ ଚେଷ୍ଟା କରୁଥିଲେ ସେମାନଙ୍କୁ ଓଡ଼ିଶାବାସୀ ଠିକ୍ ଜାଗାରେ ରଖିଛନ୍ତି। ବିଜେପି ସଂକଳ୍ପ ପତ୍ରରେ ଯାହା ଯାହା କହିଥିଲା ତାକୁ ଗୋଟି ଗୋଟି ପୁରା କରୁଛି ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ।

ସୂଚନାଥାଉକି, ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭାରତର ପ୍ରଥମ ସିଲିକନ କାର୍ବାଇଡ ଉତ୍ପାଦନ ୟୁନିଟର ଶିଳାନ୍ୟାସ କରିଥିଲେ। ଆରଆଇଆର କମ୍ପାନି ଏଥିପାଇଁ ୬୨୦ କୋଟି ବିନିଯୋଗ କରିବ। ଏଥିସହିତ ସେହିଦିନ ମୁଖ୍ୟମନ୍ତ୍ରୀ ୪ଟି ଆଇଟି ଫାର୍ମର ଉଦ୍ଘାଟନ କରିଥିଲେ। ଏହାଦ୍ବାରା ଓଡ଼ିଶା ଏକ ପ୍ରମୁଖ ଆଇଟି ହବରେ ପରିଣତ ହେବାକୁ ଯାଉଛି।

Leave A Reply

Your email address will not be published.