ହରିୟାଣା ନିର୍ବାଚନ: କଂଗ୍ରେସ ଆଗରେ ଆପ୍ କଣ୍ଟା, ବଢ଼ୁଛି ରାହୁଲଙ୍କ ଚିନ୍ତା
ଓଏଲ୍ ବ୍ୟୁରୋ: ହରିୟାଣା ବିଧାନସଭା ତାତି, ରାଜଧାନୀ ଦିଲ୍ଲୀରେ ଅନୁଭୂତ ହେବାରେ ଲାଗିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଯେଉଁ ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଥିଲା, ସେଥିରେ ଏବେ ଲାଗିଛି ବିରାମ। କାରଣ ଆଜି ଦ୍ବିତୀୟ ପର୍ଯ୍ୟାୟ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି ଆପ୍। ପ୍ରଥମ ପର୍ଯ୍ୟାୟରେ ୨୦ ଜଣଙ୍କ ନେତାଙ୍କ ନାମ ଘୋଷଣା କରିଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଆପ୍। ବର୍ତ୍ତମାନ ଆପ୍ ସମସ୍ତ ୯୦ଟି ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି କରୁଛି। ସୂଚନାଥାଉକି, ରାଜ୍ୟର ୯୦ଟି ଆସନ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ସେପ୍ଟେମ୍ବର ୧୨ ରହିଛି।
ଆଜି ଦ୍ବିତୀୟ ପର୍ଯ୍ୟାୟରେ ଆପ୍ ପକ୍ଷରୁ ଯେଉଁ ୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି, ସେହି ଆସନରେ କଂଗ୍ରେସର ଦୃଢ଼ ସ୍ଥିତି ରହିଛି। ବିଶେଷ ଭାବେ ସେହି ୯ଟି ଆସନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ହେଲେ ଆପ୍ ପ୍ରାର୍ଥୀ ଦେଇ କଂଗ୍ରେସକୁ ଅକଳରେ ପକାଇଛି। ଆମ୍ ଆଦମୀ ଗୋଟିଏ ପର୍ଯ୍ୟାୟ ପରେ ଗୋଟିଏ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାରେ ଲାଗିଛି। ଯାହା କଂଗ୍ରେସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ନିକଟରେ ରାହୁଲ ଗାନ୍ଧୀ ହରିୟାଣା କଂଗ୍ରେସ ୟୁନିଟ୍କୁ ପରାମର୍ଶ ଦେଇଥିଲେ ଯେ ନିର୍ବାଚନରେ ଆପ୍ ସହିତ ମିଶି ପ୍ରାର୍ଥୀ ଦିଆଯାଉ। କାରଣ ବିଜେପି ବିପକ୍ଷରେ ପଡ଼ିବାକୁ ଥିବା ଭୋଟ ଭାଗ ବାଣ୍ଟି ହୋଇଯିବ। ଯାହା ଦଳ ପାଇଁ ଶୁଭଙ୍କର ନୁହେଁ। ପରେ କଂଗ୍ରେସ-ଆପ୍ ମଧ୍ୟରେ ଗଠବନ୍ଧନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ଆମ୍ ଆଦମୀ ପାର୍ଟି ୨୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି କହିଥିଲା। ହେଲେ କଂଗ୍ରେସ ରାଜି ହୋଇନଥିଲା। କଂଗ୍ରେସ ୩-୪ଟି ଆସନରେ ପ୍ରାର୍ଥୀ ଦେବାକୁ ଆପ୍ ଆଗରେ ପ୍ରସ୍ତାବ ରଖିଥିଲା। ହେଲେ ଆପ୍ କଂଗ୍ରେସର ପ୍ରସ୍ତାବରେ ମୋହର ମାରି ନଥିଲା। ଆଉ ନିଜେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲା ଆପ୍। ବର୍ତ୍ତମାନ ସୁଦ୍ଧା ଆପ୍ ୨୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି। ଏପରିକି ଅତି କମ୍ରେ ୫୦ଟି ଆସନରେ ପ୍ରାର୍ଥୀ ଦେବାକୁ ଯୋଜନା କରିଛି ଆପ୍।