Odisha Link
Bridging the Missing Links in Odisha

ମଣିପୁର ହିଂସା: ଅମିତ ଶାହଙ୍କୁ ଚିଠି ଲେଖିଲେ କଂଗ୍ରେସ ସାଂସଦ, ୨ହଜାର ଯବାନ ନିୟୋଜିତ

ଓଏଲ୍‌ ବ୍ୟୁରୋ: କିଛି ମାସ ଶାନ୍ତ ରହିବା ପରେ ଏବେ ପୁଣିଥରେ ଅଶାନ୍ତ ହୋଇଛି ମଣିପୁର। ପୁଣିଥରେ ମଣିପୁର ହିଂସାର ବହ୍ନି ଜଳିବାରେ ଲାଗିଛି। ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି ମଣିପୁର ହିଂସା। ଯାହାକୁ ନଜରରେ ରଖି ମଣିପୁର ସରକାର ସାରା ରାଜ୍ୟରେ ଆଗାମୀ ୫ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସୁବିଧା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଦୁଇ ଦିନ ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ବଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର। ଏସବୁ ମଧ୍ୟରେ କଂଗ୍ରେସ ପକ୍ଷରୁ କୁହାଯାଇ ଯେ ଏହି ମାମଲାରେ ଗୃହମନ୍ତ୍ରୀ ଅମିତ ଶାହ ହସ୍ତକ୍ଷେପ କରିବା ଆବଶ୍ୟକତା ରହିଛି। କର୍ଫ୍ୟୁ ସହିତ ବର୍ତ୍ତମାନ ମଣିପୁରରେ ୨୦୦୦ ଯବାନ ନିୟୋଜିତ ରହିଛନ୍ତି।

କିଛିଦିନର ନିରବତା ପରେ ୧୦ ଦିନ ହେଲା କୁକି ଉଗ୍ରପନ୍ଥୀମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି। ଯାହାଫଳରେ କୁକି ଓ ମୈତଇ ସମୁଦାୟ ମଧ୍ୟରେ କନ୍ଦଳ ଦେଖିବାକୁ ମିଳିଛି। ଇନର ମଣିପୁର କଂଗ୍ରେସ ସାଂସଦ ଏ ବିମଲ ଅମିତ ଶାହଙ୍କୁ ଚିଠି ଲେଖି ମଣିପୁର ସ୍ଥିତି ଉପରେ ଧ୍ୟାନ ଦେବାକୁ କହିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ ମଣିପୁରରେ ଯେଉଁ ହିଂସା ଘଟିବାରେ ଲାଗିଛି ସେଥିରେ ଡ୍ରଗ୍‌ ମାଫିଆ ଓ ବାହାର ଲୋକ ବି ସାମିଲ ଅଛନ୍ତି। ଏହା ପଛରେ ବିଦେଶୀ ଷଡ଼ଯନ୍ତ୍ର ଥିବା ସେ ଉଲ୍ଲେଖ କରିଛନ୍ତି।

କିଛିଦିନ ହେବ ମଣିପୁର ହିଂସାରେ ଡ୍ରୋନର ବ୍ୟବହାର କରାଯାଉଥିବା ନଜରି ମଧ୍ୟ ରହିଛି। ଏପର୍ଯ୍ୟନ୍ତ ଅନେକ ଲୋକ ଆହାତ ମଧ୍ୟ ହୋଇ ସାରିଲେଣି। ଅନ୍ୟପଟେ ଛାତ୍ର ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି ଯାହାକୁ ନଜରରେ ରଖି ବିରେନ ସରକାର ସମଗ୍ର ରାଜ୍ୟରେ ଇଣ୍ଟରେନଟ୍‌ ସୁବିଧା ବନ୍ଦ କରିଛନ୍ତି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାିଛି ଯେ ଦଙ୍ଗା ସୃଷ୍ଟିକାରୀ ଭାଷଣ, ଭିଡିଓ, ଫଟୋର ପ୍ରସାର ସୋସିଆଲ ମିଡିଆରେ କରାଯାଉଛି। ଯାହାକୁ ରୋକିବା ପାଇଁ ସରକାରଙ୍କ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ପିଟିଆଇ ରିପୋର୍ଟ ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ ସମଗ୍ର ମଣିପୁରରେ ସେପ୍ଟେମ୍ବର ୧୦ ଅପରାହ୍ନ ୩ଟାରୁ ସେପ୍ଟେମ୍ବର ୧୫ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ। ସେପ୍ଟେମ୍ବର ୧୧ ଓ ୧୨ ତାରିଖ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସୂଚନାଥାଉକି, ୬ ତାରିଖରେ ମୋଇରାଙ୍ଗ ସହରରେ ରକେଟ୍ ଚାଳିତ ବୋମା ବିସ୍ଫୋରଣରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.