ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି
ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ। ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥୀରେ ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି ପାଳିତ ହୁଏ। ଏହି ସ୍ୱତନ୍ତ୍ର ନୀତି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଭୋଗ ସରି ପାଣି ପଡିବା ଉତ୍ତରାରେ ପୁଷ୍ପାଳକ ସେବକ ମାନେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟ ଶେଜ ଘରେ ବିଜେ କରାଇଥାନ୍ତି। ତତ୍ପରେ ଦଇତାପତିମାନେ ଆଜ୍ଞାମାଳ ପାଇବା ସହ ସୁଦର୍ଶନଙ୍କୁ ପହଣ୍ଡି କରି ଆଣି ଜଗମୋହନ ଚଉଦୋଳରେ ବିଜେ କରାଇଥାନ୍ତି। ଏଠାରେ ରୁନ୍ଧା କାର୍ଯ୍ୟ ସରି ପାଟପତନୀ ଲାଗି ହୋଇଥାନ୍ତି।
ତତ୍ପରେ ବିମାନବଡୁ ସେବକ ଚଉ ଦୋଳକୁ ମୁକ୍ତିମଣ୍ଡପ ନିକଟକୁ ନେଇଥାନ୍ତି। ସେଠାରେ ଶ୍ରୀ ସୁଦର୍ଶନଙ୍କୁ ସୁବର୍ଣ୍ଣ ହରିଡ଼ାମାଳ, କମର ପଟି, ଦୟଣାମାଳି ସେବକ ଦେଇଥିବା ଚୁଳ ଲାଗି କରିଥାନ୍ତି। ତତ୍ପରେ ଶ୍ରୀ ସୁଦର୍ଶନ ବଡ଼ଦେଉଳର ଏକ ବେଢା଼ କରି ସିଂହଦ୍ୱାର ଦେଇ ଆଶ୍ରମ ବିଜେ କରିଥାନ୍ତି। ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବା ସହ ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଏହା ପରେ ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମ୍ମୁଖରେ ପଢି ନୀତି ସମ୍ପର୍ଣ୍ଣ କରିବେ। ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତନ କରିବାର ବିଧି ରହିଅଛି।
ପୌରାଣିକ କଥାନୁସାରେ, ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ” ଭାବରେ ପାଳନ କରି ଥାଆନ୍ତି। ରାଧାଷ୍ଟମୀ ବ୍ରତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ପାଳନ କରାଯାଏ। ରାଧାଷ୍ଟମୀ ବୈଷ୍ଣବ ମାନଙ୍କ ମଧ୍ୟରେ ବିଶେଷ ଭାବରେ ପ୍ରଚଳିତ। ଏଥିରେ ରାଧାଙ୍କର ଜନ୍ମ ବୃତ୍ତାନ୍ତ ବ୍ୟତୀତ ଏକ ବ୍ରତ କଥା ପଢ଼ା ଯାଇଥାଏ। ଏକଦା ସୂର୍ଯ୍ୟଦେବ ବ୍ରହ୍ମାଣ୍ଡ ପରିଭ୍ରମଣ କରୁ କରୁ ନାନା ପ୍ରକାରର ଐଶ୍ୱର୍ଯ୍ୟ ଦେଖି ତପସ୍ୟା କରିବାକୁ ମନ ବଳାଇଲେ। ତେଣୁ ସେ ମନ୍ଦର ପର୍ବତ ଗୂହାରେ କଠିନ ତପସ୍ୟାରତ ହେଲେ। ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା, ଦେବତାଗଣ ଭୟଭୀତ ହେଲେ।
ଇନ୍ଦ୍ର ଏବଂ ଅନ୍ୟ ଦେବତାଗଣଙ୍କ ଯାଇ ଶ୍ରୀହରିଙ୍କୁ ପ୍ରାର୍ଥନା କଲେ। ଶ୍ରୀହରି ଦେବଗଣଙ୍କୁ ଆଶ୍ୱାସନା ଦେଇ ସୂର୍ଯ୍ୟଙ୍କୁ ଦର୍ଶନ ଦେଇ କହିଲେ “ହେ ଦିବାକର, ତୁମେ ତପସ୍ୟାରେ ସିଦ୍ଧି ଲାଭ କରିଛ। ତୁମେ ବର ପ୍ରାର୍ଥନା କର। ସୂର୍ଯ୍ୟଦେବ କହିଲେ ପ୍ରଭୁ, ମୋତେ ଗୋଟିଏ ଗୁଣବତୀ କନ୍ୟାର ବର ଦିଅନ୍ତୁ ଏବଂ ଆପଣ ଚିରଦିନ ସେହି କନ୍ୟାପ୍ରତି ବଶୀଭୂତ ରହିବେ। ଏହା ବ୍ୟତୀତ ମୋର ଆଉ କିଛି ଇଚ୍ଛା ନାହିଁ। ତାପରେ ଶ୍ରୀହରି ”ତଥାସ୍ତୁ” କହି ସେଠାରୁ ଚାଲିଗଲେ।
ଏହି ପୃଥିବୀରେ ଶ୍ରୀହରି କେବଳ ଶ୍ରୀରାଧାଙ୍କର ବଶୀଭୂତ। ଶ୍ରୀରାଧା ଏବଂ ଶ୍ରୀହରିଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ପୃଥିବୀର ଭାର ଲାଘବ ପାଇଁ ଶ୍ରୀହରି ବୃନ୍ଦାବନର ନନ୍ଦାଳୟରେ କୃଷ୍ଣଙ୍କ ରୂପରେ ଅବତୀର୍ଣ୍ଣ ହେଲେ। ସୂର୍ଯ୍ୟଦେବ ସେଠାରେ ବୃଷଭାନୁ ରାଜା ନାମରେ ଜନ୍ମ ଗ୍ରହଣ କଲେ। ଶ୍ରୀରାଧା ତାଙ୍କର କନ୍ୟା ରୂପେ ଅବତୀର୍ଣ୍ଣ ହେଲେ। ଶ୍ରୀହରି ମଥୁରାରେ ଜନ୍ମଗ୍ରହଣ କରି ନନ୍ଦାଳୟକୁ ଆସିଲେ। ସୂର୍ଯ୍ୟଦେବ ବୈଶ୍ୟ କୁଳରେ ବୃଷଭାନୁ ନାମରେ ଜନ୍ମ ଗ୍ରହଣ କଲେ।
ଯଥା କାଳେ ଗୋପ କନ୍ୟା କୀର୍ତ୍ତିଦାଙ୍କ ସହିତ ତାଙ୍କ ବିବାହ ହେଲା, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ କୀର୍ତ୍ତିଦାଙ୍କ ଗର୍ଭରେ ଶ୍ରୀରାଧା ଜନ୍ମ ଗ୍ରହଣ କଲେ। ଗୋପଗୋପୀ ଗଣ ଆନନ୍ଦରେ ଶ୍ରୀରାଧାଙ୍କ ଜନ୍ମ ପାଳନ କରିଥିଲେ। ଶ୍ରୀକୃଷ୍ଣଙ୍କର କରୁଣା ଲାଭ ପାଇଁ ଶ୍ରୀରାଧାଙ୍କ ଜନ୍ମଦିନକୁ ଶ୍ରୀରାଧାଷ୍ଟମୀ ଭାବରେ ପାଳନ କରାଯାଏ। ଓଡ଼ିଶାରେ ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ଏହି ନୀତି ଯଥାବିଧି ପାଳନ କରାଯାଏ।