Odisha Link
Bridging the Missing Links in Odisha

ପ୍ୟାରିସ୍‌ରେ ବି ରାଜନୀତି ହୋଇଥିଲା, ଭିନେଶ ଫୋଗାଟ ଆଣିଲେ ବଡ଼ ଅଭିଯୋଗ

ଓଏଲ୍‌ ବ୍ୟୁରୋ: ସକ୍ରିୟ ରାଜନୀତିରେ ପାଦ ଥାପିଥିବା ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ଏବେ ଆଣିଛନ୍ତି ବଡ଼ ଅଭିଯୋଗ। ପ୍ୟାରିସ୍‌ ଅଲିମ୍ପିକ୍ସକୁ ନେଇ ବଡ଼ ଅଭିଯୋଗ କରିଛନ୍ତି ଭିନେଶ। ଏପରିକି ଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷା ପିଟି ଉଷାଙ୍କ ପକ୍ଷରୁ ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋକୁ ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି। ପ୍ୟାରିସ୍‌ ଅଲିମ୍ପିକ୍ସର କୁସ୍ତି ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଓଜନ କାରଣରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଯାହା ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ନିକଟରେ ଭିନେଶ କଂଗ୍ରେସର ହାତ ଧରିଛନ୍ତି। ଦଳ ପକ୍ଷରୁ ତାଙ୍କୁ ଆଗାମୀ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜୁଲାନା ଆସନରୁ ଦଳୀୟ ପ୍ରାର୍ଥୀ କରାଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଭିନେଶ ଫୋଗାଟ କହିଛନ୍ତି ଯେ ମୋତେ କିଛି ବି ଜଣାନାହିଁ ପ୍ୟାରିସ୍‌ରେ କେଉଁ ସମର୍ଥନ ମିଳିଥିଲା। ପିଟି ଉଷା ମ୍ୟାଡାମ ମୋତେ ମେଡିକାଲ ଦେଖା କରିବାକୁ ଆସିଥିଲେ। ସେହି ସମୟରେ ଏକ ଫଟୋ ବି କ୍ଲିକ୍‌ ହୋଇଥିଲା। କଥାରେ ଅଛି ବନ୍ଦ କବାଟ ପଛରେ ରାଜନୀତିରେ ବହୁତ କିଛି ହୋଇଥାଏ। ସେହିଭଳି ପ୍ୟାରିସ୍‌ରେ ବି ରାଜନୀତି ହୋଇଥିଲା। ଯେଉଁଥିପାଇଁ ମୋ ହୃଦୟ ଚୁରମାର ହୋଇଗଲା। ନହେଲେ ତ ବହୁତ ଲୋକ ମୋ ଜୀବନରେ ଅଛନ୍ତି ଯେଉଁମାନେ କହୁଥିଲେ କୁସ୍ତି ନଛାଡ଼ିବାକୁ। ରାଜନୀତି ହେବା ଯୋଗୁଁ କୁସ୍ତି ଛାଡ଼ିଥିବା କହିଛନ୍ତି ଭିନେଶ ଫୋଗାଟ।

ପିଟି ଉଷା ଉଠେଇଥିବା ଫଟୋକୁ ନେଇ ମଧ୍ୟ କହିଛନ୍ତି ଭିନେଶ ଫୋଗାଟ। ସେ କହିଛନ୍ତି, ମୋ ବିନା ଅନୁମତିରେ ଫଟୋଟି ଉଠା ଯାଇଥିଲା ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ମେଡିକାଲର ବେଡରେ ପଡ଼ି ରହିଥିବେ, ଯେତେବେଳେ କି ଆପଣଙ୍କୁ ଜଣାନାହିଁ ବାହାର ଜୀବନ କେମିତି ଚାଲୁଛି। ମେଡିକାଲରେ ବେଡରେ ଥାଇ ଜୀବନର ସବୁଠୁ ଦୁଃଖଦ ସମୟ ଦେଇ ଗତି କରୁଥିବେ.. ସେହି ସମୟରେ କିଛି ବ୍ୟକ୍ତି ଆସିବେ ଦୁଃଖଦ ସମୟରେ ଆପଣଙ୍କ ସାଥିରେ ଠିଆ ହୋଇଥିବା ଦେଖାଇବା ପାଇଁ ବିନା ଅନୁମତିରେ ଫଟୋ ଉଠେଇ ଚାଲିଯିବେ। ଏହା କେତେ ଠିକ୍। ସମର୍ଥନ ଫଟୋ ଉଠାରୁ ମିଳିନାହିଁ। କେବଳ ଦେଖେଇ ହେବା ପାଇଁ ଫଟୋ ଉଠା ଯାଇଥିଲା ବୋଲି ଭିନେଶ ଫୋଗାଟ କହିଛନ୍ତି। ପିଟି ଉଷା ମ୍ୟାଡାମ କେବଳ ଫଟୋ ଉଠାଇବା ଛଡ଼ା କିଛି ବି ସାହାଯ୍ୟ କରିନଥିଲେ ବୋଲି କହିଛନ୍ତି ଭିନେଶ।

Leave A Reply

Your email address will not be published.