Odisha Link
Bridging the Missing Links in Odisha

କୋଠା ପ୍ରେମୀ ସରକାରୀ ବାବୁ, ଅମାପ ସଂପତିର ତାଲିକା କରୁଛି ଭିଜିଲାନ୍ସ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଆଜି ସିଭିଲ ଇଂଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଉଛି। ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଞ୍ଜନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରୁଛି। ବ୍ରହ୍ମପୁର ଏବଂ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ଯନ୍ତ୍ରୀଙ୍କ ଭଞ୍ଜନଗର କୁଲାଡ଼ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି।

ଚଢ଼ାଉ ସମୟରେ ସିଭିଲ ଇଂଜିନିୟରଙ୍କ କୋଠା ସଉକ ଦେଖି ଭିଜିଲାନ୍ସ ତାଜୁବ୍‌ ହୋଇଛି। ଯନ୍ତ୍ରୀଙ୍କ ୬ଟି ବହୁତଳ କୋଠା ଠାବ କଲାଣି ଭିଜିଲାନ୍ସ ଟିମ୍‌। ୨ଟି ୪ ମହଲା, ୨ଟି ୩ ମହଲା ଓ ୨ଟି ୨ ମହଲା କୋଠା ଠାବ ହୋଇଛି। ବ୍ରହ୍ମପୁର ତୁଳସୀନଗରରେ ୪ ମହଲା କୋଠାର ମୂଲ୍ୟ ୨.୪ କୋଟି। ଭଂଜନଗର ବାଗ୍‌ଦେବୀ ରୋଡ୍‌ରେ ୬ ହଜାର ବର୍ଗଫୁଟର ୪ ମହଲା କୋଠା, ଭଂଜନଗରରେ ୨୫୦୦ ବର୍ଗଫୁଟର ଆଉ ଏକ ୩ ମହଲା କୋଠା, ଭଂଜନଗର ୬ ନମ୍ବର ୱାର୍ଡରେ ଗୋଟିଏ, ଲୁଡୁଲୁଡିରେ ଗୋଟିଏ ୨ ମହଲା କୋଠା ଠାବ ହୋଇଛି। ଭଂଜନଗରରେ ୪ଟି ଏବଂ ବ୍ରହ୍ମପୁରରେ ଗୋଟିଏ ଘରଯୋଗ୍ୟ ପ୍ଲଟ ଠାବ କରାଯାଇଛି। ଯନ୍ତ୍ରୀଙ୍କ ସୁନା ଗହଣା, ବ୍ୟାଙ୍କ ଜମା, ଗାଡ଼ିର ହିସାବ କରୁଛି ଭିଜିଲାନ୍ସ।

Leave A Reply

Your email address will not be published.